ଆବୁଧାବିରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

42

ନୂଆଦିଲ୍ଲୀ: ଓଡ଼ିଶାରେ ଶିଳ୍ପ ବିକାଶ ଓ ବୃହତ୍ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆବୁଧାବିଠାରେ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ସମ୍ବର୍ଦ୍ଧନା ଦିଆଯାଇଛି। ଆବୁଧାବିସ୍ଥିତ ପ୍ରସିଦ୍ଧ ‘ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ’ର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଆରବୀୟ ପାରମ୍ପରିକ ଲୋକନୃତ୍ୟ ଓ ସଂସ୍କୃତିର ପ୍ରଦର୍ଶନ ସହ ସ୍ୱାଗତ କରାଯାଇଥିଲା। ରାଜ୍ୟକୁ ନୂତନ ନିବେଶକଙ୍କୁ ଆକୃଷ୍ଟ କରିବା ଏବଂ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ତର୍ଜାତୀୟ ନିବେଶ ସମ୍ପର୍କ ଅଭିଯାନ, ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଉପସ୍ଥିତ ଅଛନ୍ତି। ଏଥିରେ ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଶିଳ୍ପ, ଗୃହ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ସାମିଲ ଅଛନ୍ତି। କମ୍ପାନୀ ମୁଖ୍ୟାଳୟରେ ପହଞ୍ଚିବା ପରେ ଓଡ଼ିଶା ପ୍ରତିନିଧିମଣ୍ଡଳୀକୁ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଲି ଅଲରାସଦି, ସୟଦ ବାସର ଶୁଏବ, ଚିଫ୍ ଷ୍ଟ୍ରାଟେଜିକ୍ ଆଣ୍ଡ ଗ୍ରୋଥ୍ ଅଫିସର ପିଟର ଆବ୍ରାମ ଏବଂ ଅନ୍ୟତମ ବରିଷ୍ଠ ଅଧିକାରୀ ସାମିଆ ବୁଆଜା ଆଦରର ସହ ସ୍ୱାଗତ କରିଥିଲେ। ପାରମ୍ପରିକ ଆରବୀୟ ସଂସ୍କୃତିର ଏହି ଆତିଥ୍ୟକୁ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ପ୍ରତିନିଧି ଭୂୟସୀ ପ୍ରଶଂସା କରିଥିଲେ।

Comments are closed, but trackbacks and pingbacks are open.