ଟିଟିଲାଗଡ଼ରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ: ବାଧାପ୍ରାପ୍ତ ହେଲା ରେଳ ଚଳାଚଳ

34

ଭୁବନେଶ୍ବର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ର ବଗି ଲାଇନ୍‌ଚ୍ୟୁତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଟ୍ରେନ୍‌ଟି ବଲାଙ୍ଗିର ପଟୁ ଆସୁଥିବା ବେଳେ ଟିଟିଲାଗଡ଼-ସିକେର ମୁଖ୍ୟ ରେଳପଥରେ ଏହି ଅଘଟଣ ଘଟିଥିଲା। ହଠାତ୍‌ ଟ୍ରେନ୍‌ର ଗୋଟିଏ ବଗି ରେଳଧାରଣାରୁ ଖସିଯିବାରୁ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାର ଖବର ପାଇବା ମାତ୍ରେ ରେଳ ବିଭାଗର ଅଧିକାରୀ ଓ ଟେକ୍ନିକାଲ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଲାଇନ୍‌ଚ୍ୟୁତ ବଗିକୁ ପୁଣି ରେଳଧାରଣାକୁ ଆଣିବା ସହ ରେଳପଥକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏହି ଦୁର୍ଘଟଣା ଯୋଗୁଁ ଟିଟିଲାଗଡ଼-ସିକେର ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସାମୟିକ ଭାବେ ପ୍ରଭାବିତ ହୋଇଥିବା ବେଳେ କେତେକ ଟ୍ରେନ୍‌ର ସମୟସୂଚୀରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ତେବେ ମାଲବାହୀ ଟ୍ରେନ୍‌ ହୋଇଥିବାରୁ ଏଥିରେ କୌଣସି ଜନହାନି କିମ୍ବା କେହି ଆହତ ହୋଇ ନାହାନ୍ତି। ଟ୍ରେନ୍‌ଟି କେଉଁ କାରଣରୁ ଲାଇନ୍‌ଚ୍ୟୁତ ହେଲା, ତାହାର ତଦନ୍ତ ରେଳ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି।

Comments are closed, but trackbacks and pingbacks are open.