ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ଯୁଦ୍ଧ ମଧ୍ୟରେ ଭାରତରେ ଦେଖା ଦେଇଥିବା ଇନ୍ଧନ ଗ୍ୟାସ ସଙ୍କଟର ମୁକାବିଲା ପାଇଁ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ସରକାର ସମସ୍ତ ତୈଳ କମ୍ପାନୀ ଯଥା ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଆୟକର ବିଭାଗର ତଥ୍ୟା ଆଧାରରେ ସବସିଡି ପାଇବାକୁ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅର୍ଥାତ ସେମାନଙ୍କୁ ସବସିଡି ତାଲିକାରୁ ବାଦ ଦିଆଯିବ । କିନ୍ତୁ ଯେଉଁମାନେ ସବସିଡି ପାଇବାକୁ ଯୋଗ୍ୟ ସେମାନେ ୭ ଦିନ ଭିତରେ ନିଜର ଜବାବ ରଖିବେ । ଯେଉଁମାନଙ୍କର ବାର୍ଷିକ ଆୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ସେହି ଉପଭୋକ୍ତା ସବସିଡି ପାଇବେ ନହିଁ । ତୈଳ କମ୍ପାନୀଗୁଡ଼ିକ ଉପଭୋକ୍ତା ମାନଙ୍କୁ ନୋଟିସ୍ ପଠାଇବା ଆରମ୍ଭ କରିଦେଇଛନ୍ତି । ଆୟକର ବିଭାଗର ତଥ୍ୟ ଆଧାରେର ଯେଉଁ ପରିବାରରେ କୌଣସି ବି ସଦସ୍ୟଙ୍କର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ ରହିଛି ସେମାନଙ୍କୁ ନୋଟିସ୍ କରାଯାଉଛି । ଏହା ପୂର୍ବରୁ ମଧ୍ୟ ସବସିଡି ବଞ୍ଚାଇବାକୁ ତୈଳ କମ୍ପାନୀମାନେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ନୂତନ ଗ୍ୟାସ ସଂଯୋଗ ବନ୍ଦ କରିବା ସହିତ ରିଫିଲିଂ ବୁକିଂ ଅବଧି ମଧ୍ୟ ବୃଦ୍ଧି କରାଯାଇ ସବସିଡି ଉପରେ ନିୟନ୍ତ୍ରଣ ଅଣାଯାଇଥିଲା ।
ଅନ୍ତର୍ଜାତୀୟ ସ୍ତରରେ କଞ୍ଚା ତୈଳର ମୂଲ୍ୟ ଏବେ ଆକାଶ ଛୁଆଁ ରହିଛି । ଯେଉଁଥିପାଇଁ ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ ବଢ଼ୁଛି । ସରକାରଙ୍କ ଉପରେ ସବସିଡିର ଅତିରିକ୍ତ ଖର୍ଚ୍ଚ ହେଉଥିବାବେ ରାଜକୋଷ ମଧ୍ୟ ହ୍ରାସ ପାଇଛି । ତେଣୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ।
Comments are closed, but trackbacks and pingbacks are open.