ଆଜିଠୁ ୧୮ରୁ ୫୯ ବୟସ୍କ ନେବେ ମାଗଣା ବୁଷ୍ଟର ଡୋଜ

31

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟରେ ଆଜିଠାରୁ ଦିଆଯିବ ମାଗଣା ବୁଷ୍ଟର ଡୋଜ I ‘ଆଜାଦି କା ଅମୃତ ମହୋତ୍ସବ’ପାଳନ ଅବସରରେ,ଦୀର୍ଘ ୭୫ ଦିନ ଧରି ଚାଲିବ ଏହି ସ୍ୱତନ୍ତ୍ର ଅଭିଯାନ I ଏଥିରେ ୧୮ରୁ ୫୯ ବୟସ୍କ ଲୋକମାନଙ୍କୁ ମାଗଣା ଟୀକାଦାନ କରାଯିବ I
ରାଜ୍ୟରେ ୧୮ରୁ ୫୯ ବୟସ ବର୍ଗର ୨ କୋଟି ୬୫ ଲକ୍ଷ ୮୫ ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୧% ବା ୧ ଲକ୍ଷ ୫୦ ହଜାର ପ୍ରିକସନ୍ ଡୋଜ୍ ନେଇ ସାରିଛନ୍ତି । ଅନ୍ୟମାନେ ଆଜିଠୁ ଏହି ଡୋଜ୍ ମାଗଣାରେ ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଅନଲାଇନ୍‌ ବୁକିଂ କରି କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ଏହି ପ୍ରିକସନ୍ ଡୋଜ୍ ନେଇ ହେବ ।
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗତକାଲି ସ୍ଥିତି ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ କରୋନା ସଂକ୍ରମଣ ଓ ପରିଚାଳନା ସମ୍ବନ୍ଧିତ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲାୱାରୀ ସ୍ଥିତି ସମୀକ୍ଷା କରି ମୁଖ୍ୟସଚିବ ଆସନ୍ତାକାଲିଠାରୁ ୧୮ରୁ ୫୯ ବର୍ଷ ଲୋକଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରାଯିବ, ଦୈନିକ କରୋନା ପରୀକ୍ଷା ବଢ଼ାଇବା ସହ ୨୪ ଘଣ୍ଟିଆ କଲ୍ ସେଣ୍ଟରକୁ କାର୍ଯ୍ୟକ୍ଷମ କରିବା ଏବଂ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିର୍ଦେଶ ଦେଇଛନ୍ତି।
ଇଞ୍ଜିନିୟରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଟିକାକରଣ ସହ ସହରାଞ୍ଚଳରେ ୧୮ରୁ ୫୯ ବର୍ଷ ବ୍ୟକ୍ତିଙ୍କ ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି। ସହରାଞ୍ଚଳରେ ପ୍ରତି ୱାର୍ଡ ଏବଂ ଗ୍ରାମାଞ୍ଚଳରେ ଗ୍ରାମ ଓ ପଞ୍ଚାୟତୱାରୀ ଟିକାକରଣ କାର୍ଯ୍ୟ ଯୋଜନା କାର୍ଯ୍ୟାନ୍ୱୟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ କହିଥିବାବେଳେ ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ଜନ ପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବାକୁ ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନା ନିର୍ଦେଶ ଦେଇଛନ୍ତି। ପ୍ରତ୍ୟେକ ମେଡ଼ିକାଲ କଲେଜ ଏବଂ ଜିଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କରୋନା ୱାର୍ଡ ବ୍ୟବସ୍ଥା କରାଯାଇଛି। ଆବଶ୍ୟକତା ଅନୁସାରେ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢ଼ାଇବା ପାଇଁ ପ୍ରତି ଜିଲା ପ୍ରସ୍ତୁତ ଥିବା ଜଣାପଡିଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ସଞ୍ଜୀବ ଚୋପ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ବରିଷ୍ଠ ଅଧିକାରୀମାନେ, ଜିଲାପାଳ ଏବଂ ପୌର ପରିଷଦ ଆୟୁକ୍ତମାନେ ଆଭାସି ମାଧ୍ୟମରେ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.