ମଲ୍ଲିକାର୍ଜୁନ ମନ୍ଦିରର ବିଶ୍ରାମ ଗୃହରୁ ୫ ମୃତଦେହ ଉଦ୍ଧାର

25

ଆନ୍ଧ୍ରପ୍ରଦେଶ: ଗୋଟିଏ ପରିବାରର ୫ ଜଣ ସଦସ୍ୟ ଶ୍ରୀଶୈଲମରେ ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିରକୁ ଦର୍ଶନ କରିବାକୁ ଆସି ଆତ୍ମହତ୍ୟା କରିଛନ୍ତି । ମନ୍ଦିର ପକ୍ଷରୁ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମ ଗୃହର ବନ୍ଦ କୋଠରୀ ଭିତରୁ ୫ ଜଣଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ପୋଲିସ ତଥ୍ୟ ଅନୁସାରେ, ଗତ ଜୁଲାଇ ୨୮ ତାରିଖରେ ସୁଧାକର ଏବଂ ତାଙ୍କ ପରିବାର ଆନ୍ଧ୍ରପ୍ରଦେଶର ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ପ୍ରାୟ ଏକ ମାସ ହେବ ସେମାନେ ଏହି ମନ୍ଦିରର ବିଶ୍ରାମ ଗୃହ ୧୧ ନମ୍ବର କୋଠରୀରେ ରହୁଥିଲେ । ପ୍ରତିଦିନ ୨୯ ଟଙ୍କା ଭଡ଼ା ଦେଉଥିଲେ । ଏତେ ଦିନ ରହିଥିବାରୁ କର୍ମଚାରୀମାନେ ସେମାନଙ୍କୁ ଘର ଖାଲି କରିବାକୁ କହିଥିଲେ । ସୁଧାକର ଅଧିକ ସମୟ ମାଗିଥିଲେ । ତେବେ ଗଲା କିଛି ଦିନ ହେବ ଘରର କବାଟ ଖୋଲୁ ନ ଥିଲା । କର୍ମଚାରୀଙ୍କର ସନ୍ଦେହ ହେବାରୁ ସେମାନେ କୋଠରୀ ପାଖକୁ ଯିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ିଥିଲା । ଏହା ପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି କବାଟ ଖୋଲିବା ବେଳକୁ ସମସ୍ତଙ୍କୁ ମୃତ ପାଇଥିଲା । ବାଥରୁମ ଭିତରୁ ତିନି ଜଣ ଭଉଣୀ ଆଦିଲକ୍ଷ୍ମୀ, ମଲ୍ଲେଶ୍ୱରୀ ଓ ଶ୍ରୀଦେବୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ସେହିପରି ଅନ୍ୟ ଏକ କୋଠରୀର ପଙ୍ଖାରେ ଭାଇ ସୁଧାକର ଏବଂ ଭଣଜା ମଣିକଣ୍ଠାର ମୃତ ଦେହ ମିଳିଛି । ପ୍ରାୟ ୩ ଦିନ ପୂର୍ବରୁ ସେମାନେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତକମାନେ ହେଲେ ଭାଇ ପଲ୍ଲାପୁ ସୁଧାକର (୫୦), ତିନି ଭଉଣୀ ଗୋଗୁଲା ଆଦିଲକ୍ଷ୍ମୀ (୩୬) ମଲ୍ଲେଶ୍ୱରୀ (୪୫) ଓ ଶ୍ରୀଦେବୀ (୩୩) ଏବଂ ଭଣଜା ମଣିକଣ୍ଠା (୧୫) । ଏମାନେ ଶ୍ରୀସତ୍ୟ ସାଇ ଜିଲ୍ଲା ବତ୍ତଲାପାଲ୍ଲୀର ମୂଳ ବାସିନ୍ଦା ଅଟନ୍ତି ।

Comments are closed, but trackbacks and pingbacks are open.