ପଶ୍ଚିମ ଓଡ଼ିଶାରେ ‘ଅଗ୍ନିବର୍ଷା’: ୪୫ ଡିଗ୍ରୀ ଛୁଇଁଲା ପାରଦ, ଆଗାମୀ ୨ ଦିନ ପାଇଁ ୭ ଜିଲ୍ଲାକୁ ରେଡ୍ ଆଲର୍ଟ

35

ଭୁବନେଶ୍ୱର: ତାତିରେ ସିଝୁଛି ସାରା ଓଡ଼ିଶା, ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସହ୍ୟ ହୋଇପଡ଼ିଲାଣି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ପବନ (ଲୁ) ବହୁଥିବା ବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ଅତ୍ୟଧିକ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୫ ଡିଗ୍ରୀ ସେଲସିୟସ ପାଖାପାଖି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ଆଜି ପାଇଁ ୭ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେଗୁଡ଼ିକ ହେଲା: ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଏବଂ ସୁନ୍ଦରଗଡ଼। ସେହିପରି ଅନ୍ୟ ୧୧ଟି ଜିଲ୍ଲା ପାଇଁ ସତର୍କ ସୂଚନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରଖର ଖରା ହେଉଥିବାରୁ ଏହି ସମୟରେ ବାହାରକୁ ନବାହାରିବା ଭଲ। ଜରୁରୀ କାମରେ ବାହାରକୁ ଗଲେ ଛତା, ମୁଣ୍ଡରେ କପଡ଼ା ଏବଂ ପର୍ଯ୍ୟାପ୍ତ ପରିମାଣର ପାଣି କିମ୍ବା ଓଆରଏସ୍ (ORS) ସାଥିରେ ରଖିବାକୁ ପରାମର୍ଶ ଦିଆଯାଇଛି।

Comments are closed, but trackbacks and pingbacks are open.