ଯାଜପୁରରେ ଅଗ୍ନିକାଣ୍ଡ: ୪ ଜଣ ଜୀବନ୍ତ ଦଗ୍ଧ, ଜଣେ ଗୁରୁତର

21

ଯାଜପୁର: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ଗ୍ରାମରେ ଏକ ଅତ୍ୟନ୍ତ ମର୍ମନ୍ତୁଦ ତଥା ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ହୋଇଥିବା ଏକ ଆକସ୍ମିକ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି। ସୂଚନା ମୁତାବକ, ନଳିପୁର ଗ୍ରାମର ସେକ୍ ନିଜାମ ଉଦ୍ଦିନଙ୍କ ଆଜବେଷ୍ଟ ଘରେ ରାତି ପ୍ରାୟ ୮ଟା ସମୟରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହି ଭୟାବହ ଅଗ୍ନିକାଣ୍ଡରେ ଘରଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ବେଳେ ନିଜାମ ଉଦ୍ଦିନଙ୍କ ବଡ଼ବୋହୂ, ତାଙ୍କ ଝିଅ (ଯିଏକି ଶାଶୁଘରୁ ଆସିଥିଲେ), ୧୦ ବର୍ଷର ନାତୁଣୀ ଏବଂ ମାତ୍ର ୮ ମାସର ନାତି ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେହିପରି ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବଡ଼ଚଣା ମେଡିକାଲକୁ ପଠାଯାଇଛି। ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ଓ ବାଲିଚନ୍ଦ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କଳାପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର କାରଚ୍ଛାୟା ଖେଳିଯାଇଛି।

Comments are closed, but trackbacks and pingbacks are open.