ଜୋତା କାରଖାନାରେ ଅଗ୍ନିକାଣ୍ଡ: ୪ ଶ୍ରମିକ ଜୀବନ୍ତ ଦଗ୍ଧ, ୨ ଗୁରୁତର

12

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ମଙ୍ଗୋଲପୁରୀ ଶିଳ୍ପାଞ୍ଚଳରେ ଥିବା ଏକ ଜୋତା କାରଖାନାରେ ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଚାରି ଜଣ ଶ୍ରମିକଙ୍କର କରୁଣ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମଙ୍ଗୋଲପୁରୀ ଶିଳ୍ପାଞ୍ଚଳ ଫେଜ୍-୧ରେ ଅବସ୍ଥିତ ଏହି ଜୋତା କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରକେ ପୋଲିସ ଏବଂ ଅଗ୍ନିଶମ ବାହିନୀର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାରକାରୀ ଦଳ କାରଖାନା ଭିତରୁ ଛଅ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ବାହାର କରି ଚିକିତ୍ସା ପାଇଁ ସଞ୍ଜୟ ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲକୁ ପଠାଇଥିଲେ। ତେବେ ଡାକ୍ତରଖାନାରେ ଚିକିତ୍ସକ ଚାରି ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସା ଜାରି ରହିଛି। ସୁରକ୍ଷା ବ୍ୟବସ୍ଥା ଓ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ରାତିସାରା ଘଟଣାସ୍ଥଳରେ ମୁତୟନ ରହିଥିଲା। କେଉଁ କାରଣରୁ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଲା, ସେ ନେଇ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Comments are closed, but trackbacks and pingbacks are open.