ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ମଧ୍ୟରେ ଦେଶରେ ଇନ୍ଧନ ଦର ବୃଦ୍ଧିକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଅତିରିକ୍ତ ଉତ୍ପାଦ ଶୁଳ୍କ (Excise Duty) ୧୦ ଟଙ୍କା ହ୍ରାସ କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ପେଟ୍ରୋଲ ଉପରେ ପୂର୍ବରୁ ଥିବା ୧୩ ଟଙ୍କା ଅତିରିକ୍ତ ଉତ୍ପାଦ ଶୁଳ୍କ ଏବେ ୩ ଟଙ୍କାକୁ ଖସି ଆସିଛି। ସେହିପରି ଡିଜେଲ ଉପରେ ଥିବା ୧୦ ଟଙ୍କା ଶୁଳ୍କକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନିଆଯାଇଛି। ଇରାନ ସହ ଆମେରିକା-ଇସ୍ରାଏଲ ବିବାଦ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ଦେଖାଦେଇଛି। ଏଭଳି ସମୟରେ ଘରୋଇ ବଜାରରେ ତୈଳ ଦରକୁ ସ୍ଥିର ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅଶୋଧିତ ତୈଳ (Crude Oil) ଦର ବଢୁଥିବାରୁ ବିପଣନ କମ୍ପାନୀଗୁଡ଼ିକ କ୍ଷତି ସହୁଥିଲେ। ଶୁଳ୍କ ହ୍ରାସ ଫଳରେ ସେମାନଙ୍କ ଆର୍ଥିକ ବୋଝ କମିବ। ସରକାରଙ୍କ ଏହି ପଦକ୍ଷେପ ସତ୍ତ୍ୱେ ପେଟ୍ରୋଲ ଓ ଡିଜେଲର ଖୁଚୁରା ବିକ୍ରି ମୂଲ୍ୟ ବର୍ତ୍ତମାନ ପାଇଁ ଅପରିବର୍ତ୍ତିତ ରହିଛି।
Comments are closed, but trackbacks and pingbacks are open.