ଭୁବନେଶ୍ୱର: ଇ.ଏସ.ଆଇ.ସି ମେଡିକାଲ କଲେଜ ଓ ହସ୍ପିଟାଲ ଭୁବନେଶ୍ୱରର ଅନ୍ଧାରୁଆଠାରେ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ (ଇ.ଏସ୍.ଆଇ.ସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଏହି ବୃହତ ପ୍ରକଳ୍ପର ସ୍ଥାୟୀ ଭିତ୍ତିଭୂମି ଅନ୍ଧାରୁଆଠାରେ ନିର୍ମାଣ ହେବାକୁ ଥିବାବେଳେ ମେଡିକାଲ କଲେଜର କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ପାଇଁ ବର୍ତ୍ତମାନ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ଇ.ଏସ୍.ଆଇ ହସ୍ପିଟାଲକୁ ବ୍ୟବହାର କରାଯିବ। ଏଥିପାଇଁ ଶ୍ରମ ବିଭାଗ ପକ୍ଷରୁ ଉକ୍ତ ହସ୍ପିଟାଲକୁ ଆନୁଷ୍ଠାନିକ ଭାବେ କର୍ମଚାରୀ ରାଜ୍ୟ ବୀମା ନିଗମଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଆନୁଷ୍ଠାନିକ ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଖାରବେଳ ଭବନର ପଞ୍ଚମ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା। ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ଦ୍ୱାରା ଆଗାମୀ ଦିନରେ ରାଜ୍ୟର ଶ୍ରମିକ ଓ ବୀମାଭୁକ୍ତ କର୍ମଚାରୀମାନେ ଅତ୍ୟାଧୁନିକ ଚିକିତ୍ସା ସେବା ପାଇପାରିବେ କୁହାଯାଉଛି।
Comments are closed, but trackbacks and pingbacks are open.