ଜଙ୍ଗଲରୁ ହାତୀର ଅସ୍ଥି ଉଦ୍ଧାର

44

ଭୁବନେଶ୍ବର: ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ନୂଆଡ଼ିହ ସେକ୍ସନ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟସ୍ଥ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଏକ ମୃତ ହାତୀର ଅସ୍ଥିସାର ଉଦ୍ଧାର କରିଛି। ପ୍ରାୟ ମାସକ ପୂର୍ବରୁ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ପ୍ରାଥମିକ ତଦନ୍ତରୁ ଏହା ଏକ ମାଈ ହାତୀ ଏବଂ ଏହାର ପ୍ରାକୃତିକ ମୃତ୍ୟୁ ଘଟିଥାଇପାରେ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ହାତୀର ପ୍ରକୃତ ବୟସ ଓ ଲିଙ୍ଗ ନିରୂପଣ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଲ୍ୟାବରୁ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବନ ବିଭାଗର ପେଟ୍ରୋଲିଂ ଟିମ୍ ଜଙ୍ଗଲରେ ଗସ୍ତ କରୁଥିବା ବେଳେ ଗୋଗୁଆ ଜଙ୍ଗଲ ମଧ୍ୟରେ ହାତୀର ଅସ୍ଥି ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ବ୍ଲକ୍ ଭେଟେରିନାରୀ ଅଫିସରଙ୍କ ଉପସ୍ଥିତିରେ ଅସ୍ଥିଗୁଡ଼ିକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ OUAT ଲ୍ୟାବକୁ ପଠାଯାଇଛି। ଲ୍ୟାବ୍ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଦେବଗଡ଼ ବନଖଣ୍ଡ ଅଧିକାରୀ ରଶ୍ମି ଜି. ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.