ଓଡ଼ିଶାରେ ଇବୋଲା ସତର୍କତା: ବିମାନବନ୍ଦରରେ କଡ଼ା ସ୍କ୍ରିନିଂ

33

ଭୁବନେଶ୍ୱର: ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ‘ଇବୋଲା’ ଭାଇରସକୁ ନେଇ ଓଡ଼ିଶା ସରକାର ହାଇ ଆଲର୍ଟରେ ରହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ରାଜ୍ୟରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ବିଶେଷ କରି ଆଫ୍ରିକୀୟ ଦେଶରୁ ଫେରୁଥିବା ଏବଂ ଇବୋଲା ସଦୃଶ ଲକ୍ଷଣ ଥିବା ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରବି ନାରାୟଣ ମିଶ୍ରଙ୍କ ସୂଚନା ଅନୁସାରେ, ଯଦି କୌଣସି ଯାତ୍ରୀଙ୍କଠାରେ ଇବୋଲା ଲକ୍ଷଣ ଦେଖାଯାଏ, ତେବେ ତାଙ୍କୁ ସିଧାସଳଖ ଭୁବନେଶ୍ୱର ଏମ୍ସ (AIIMS)କୁ ପଠାଯିବ। ସେଠାରେ ରୋଗୀଙ୍କୁ ୨୧ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ରେ ରଖାଯିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ଏମ୍ସରେ ସ୍ୱତନ୍ତ୍ର ଭାବେ ୧୦ଟି ବେଡ୍ ସଂରକ୍ଷିତ ରଖାଯାଇଛି। କେବଳ ବିମାନବନ୍ଦର ନୁହେଁ, ପାରାଦ୍ୱୀପ ବନ୍ଦରରେ ମଧ୍ୟ ସ୍ୱାସ୍ଥ୍ୟ ଟିମ୍‌କୁ ସତର୍କ କରାଯାଇଛି। ସେଠାରେ ବିଦେଶୀ ଜାହାଜରୁ ଆସୁଥିବା କ୍ରୁ ଏବଂ ଯାତ୍ରୀଙ୍କର କଡ଼ା ସ୍କ୍ରିନିଂ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ଇବୋଲା ସଂକ୍ରମିତ ଚିହ୍ନଟ ହୋଇନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି।

Comments are closed, but trackbacks and pingbacks are open.