‘ଆମ ସମୟ ନଷ୍ଟ କରନ୍ତୁ ନାହିଁ’: CJP ପ୍ରତିବାଦ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ, ତ୍ୱରିତ ଶୁଣାଣିକୁ ମନା କଲେ ସୁପ୍ରିମକୋର୍ଟଙ୍କ
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ‘କକରୋଚ୍ ଜନତା ପାର୍ଟି’ (CJP) ର ପ୍ରତିବାଦ ଜାରି ରହିଛି। ନୂଆଦିଲ୍ଲୀରେ ସିଜେପିର ସଂସଦ ଭବନ ମାର୍ଚ୍ଚ ସମୟରେ ସମର୍ଥକଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ସିଧାସଳଖ ମନା କରିଦେଇଛନ୍ତି। ପ୍ରମାଣ ଭାବେ ଆବେଦନକାରୀଙ୍କ ଓକିଲ ଭିଡିଓ ଦେଖାଇବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ପ୍ରଧାନ ବିଚାରପତି ଏହାକୁ ଅଗ୍ରାହ୍ୟ କରି କହିଥିଲେ, “ଆମ ସମୟ ନଷ୍ଟ କରନ୍ତୁ ନାହିଁ। କୋର୍ଟ ପାଖରେ ଏହି ଭିଡିଓ ଦେଖିବା ପାଇଁ ସମୟ ନାହିଁ।” ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ସମ୍ମୁଖରେ ଆବେଦନକାରୀ ଓକିଲ ନିରେନ୍ଦ୍ର ମିଶ୍ର ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ଦାବି କରିଥିଲେ। ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ନିଟ୍ ପ୍ରଶ୍ନପତ୍ର ଲିକ୍ ବିରୋଧରେ ଏବଂ ‘ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି’ (NTA) ରେ ସୁଧାର ଆଣିବା ଦାବିରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରୁଛନ୍ତି। କିନ୍ତୁ ପୋଲିସ ସେମାନଙ୍କ ଉପରେ ବର୍ବର ଭାବେ ଆକ୍ରମଣ କରିଛି। ଏହାର ପ୍ରମାଣ ସ୍ୱରୂପ ତାଙ୍କ ପାଖରେ ଭିଡିଓ ଥିବା ସେ ଦର୍ଶାଇଥିଲେ। ତେବେ ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଥିଲେ।
Comments are closed, but trackbacks and pingbacks are open.