ଖୋଲିଲା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି

28

ଭୁବନେଶ୍ବର: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଦୀର୍ଘ ଦୁଇ ମାସ ପରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ହୁଣ୍ଡି ଖୋଲାଯିବା ପରେ ସେଥିରୁ ପ୍ରଚୁର ନଗଦ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ବାହାରିଛି। ମନ୍ଦିର ପରିସରରେ ଥିବା ସମୁଦାୟ ୯ଟି ହୁଣ୍ଡିରୁ ମିଳିଥିବା ଶ୍ରଦ୍ଧାଞ୍ଜଳି ରାଶି ଓ ଅଳଙ୍କାରର ଗଣତି କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି। ଏହି ଗଣତି କାର୍ଯ୍ୟରେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ନିୟୋଜିତ ଅଛନ୍ତି। ସମ୍ପୂର୍ଣ୍ଣ ଗଣତି ଶେଷ ହେବା ପାଇଁ ଆଜି ସନ୍ଧ୍ୟା କିମ୍ବା ରାତି ୭ଟା ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଗତ ଜୁନ୍‌ ମାସରେ ମା’ଙ୍କ ଦାନ ହୁଣ୍ଡି ଖୋଲାଯାଇଥିଲା। ସେତେବେଳେ ହୁଣ୍ଡିରୁ ମୋଟ ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ ଟଙ୍କା ସମେତ ୨୨ ଗ୍ରାମ ସୁନା, ୧ କିଲୋ ୩୦୦ ଗ୍ରାମ ରୁପା ଏବଂ ୯ଟି ବିଦେଶୀ ମୁଦ୍ରା (ନୋଟ୍‌) ମିଳିଥିଲା। ଚଳିତ ଥର ମୋଟ କେତେ ପରିମାଣର ନଗଦ ଟଙ୍କା ଓ ସୁନା-ରୁପା ସାମଗ୍ରୀ ମିଳିଛି, ଗଣତି ପ୍ରକ୍ରିୟା ଶେଷ ହେବା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

Comments are closed, but trackbacks and pingbacks are open.