ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ:୧୦ଟାରୁ ନୀତି ବନ୍ଦ, ହନ୍ତସନ୍ତ ହେଉଛନ୍ତି ଶ୍ରଦ୍ଧାଳୁ

173

ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପୁଣି ଥରେ ସେବାୟତ ବିବାଦ ଉଗ୍ର ରୂପ ଧାରଣ କରିଛି। ରୁପା ଘୋଡ଼ ଲାଗିକୁ କେନ୍ଦ୍ର କରି ବ୍ରାହ୍ମଣ ନିଯୋଗ ଏବଂ ବଡୁ ନିଯୋଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଗଣ୍ଡଗୋଳ ଯୋଗୁଁ ଆଜି ସକାଳ ୧୦ଟା ସାହାଣ ମେଲା ପରଠାରୁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ମହାପ୍ରଭୁଙ୍କ ସୁରକ୍ଷା ପାଇଁ ଲିଙ୍ଗ ଉପରେ ରୁପାର ଘୋଡ଼ ଲାଗି କରାଯାଇଥାଏ। ଏହି ରୁପା ଘୋଡ଼ ଲାଗିର ବ୍ୟବସ୍ଥାକୁ ନେଇ ଦୁଇ ନିଯୋଗ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଏହି ବିବାଦ ଏପରି ରୂପ ନେଇଥିଲା ଯେ, ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଉଭୟ ପକ୍ଷ ମଧ୍ୟରେ ହୋହଲ୍ଲା, ହାତାହାତି ଏବଂ ମାରପିଟ୍ ପରିସ୍ଥିତି ଉପୁଜିଥିଲା। ସେବାୟତଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ସକାଳୁ ଠାକୁରଙ୍କ ପୂଜାପାଠ ଓ ଅନ୍ୟାନ୍ୟ ନୀତି ବାଧାପ୍ରାପ୍ତ ହୋଇଛି। ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଅପେକ୍ଷା କରି ରହିଥିବା ବେଳେ ମନ୍ଦିରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସମସ୍ୟାର ସମାଧାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ହେଁ ଖବର ଲେଖାଯିବା ସୁଦ୍ଧା ନୀତିକାନ୍ତି ସ୍ବାଭାବିକ ହୋଇନାହିଁ।

Comments are closed, but trackbacks and pingbacks are open.