ଶ୍ୟାମ୍ ମେଟାଲିକ୍ସ ଉପରେ CPCBର ବଡ଼ କାର୍ଯ୍ୟାନୁଷ୍ଠାନ:ସିଲ୍ ହେଲା ଶ୍ୟାମ୍ ମେଟାଲିକ୍ସ କମ୍ପାନୀ

179

ଭୁବନେଶ୍ୱର/ସମ୍ବଲପୁର: ପରିବେଶ ପ୍ରଦୂଷଣ ନିୟମକୁ ବାରମ୍ବାର ଉଲ୍ଲଂଘନ କରିବା ଅଭିଯୋଗରେ ଶ୍ୟାମ୍ ମେଟାଲିକ୍ସ କମ୍ପାନୀ ଉପରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ପଣ୍ଡଲୋଇ ସ୍ଥିତ ଶ୍ୟାମ୍ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ୍‌କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ଗତ ମାର୍ଚ୍ଚ ୩୦ ତାରିଖରେ CPCB ପକ୍ଷରୁ ଏହି କମ୍ପାନୀକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଆଜି ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପର୍ଯ୍ୟାୟକ୍ରମେ ପ୍ଲାଣ୍ଟର ବିଭିନ୍ନ ୟୁନିଟ୍‌ରୁ ପ୍ରଥମେ ବିଦ୍ୟୁତ ସଂଯୋଗ କଟାଯାଇଥିଲା ଏବଂ ପରେ ସିଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ସମ୍ବଲପୁର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସତ୍ୟନାରାୟଣ ନନ୍ଦ, ସଦର ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା, ରେଙ୍ଗାଲି ତହସିଲଦାର, ସଦର ଏସଡିପିଓ ତୁଫାନ ବାଗଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ଫୋର୍ସ ମୁତୟନ ହୋଇଥିଲେ। ସୂଚନାଯୋଗ୍ୟ ଯେ, କମ୍ପାନୀ ପକ୍ଷରୁ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଆବଶ୍ୟକୀୟ ନିୟମ ପାଳନ କରାଯାଉ ନଥିବା ନେଇ CPCB ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲା। ଏହି ନିୟମ ଉଲ୍ଲଂଘନକୁ ଗୁରୁତ୍ୱର ସହ ଗ୍ରହଣ କରି ବୋର୍ଡ କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା।

Comments are closed, but trackbacks and pingbacks are open.