ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଧାୟକ ଓ ଟିଚର୍ସ ଆସୋସିଏସନ୍‌ଙ୍କ ମଧ୍ୟରେ ବିବାଦ ନୂଆ ମୋଡ଼

38

ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ଟିଚର୍ସ ଆସୋସିଏସନ୍‌ଙ୍କ ମଧ୍ୟରେ ବିବାଦ ନୂଆ ମୋଡ଼ ନେଇଛି । ଗୋଟିଏ ପଟେ ବିଧାୟକ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଟିଚର୍ସ ଆସୋସିଏସନ୍ ଦାବି କରୁଥିବା ବେଳେ, ଅନ୍ୟପଟେ ବିଧାୟକ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖି ଚିଫ୍ ୱାର୍ଡେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଘଟିଥିବା ବିବାଦ ଏବେ ରାଜନୈତିକ ଓ ଶିକ୍ଷାଗତ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏହି ଘଟଣାକୁ ନେଇ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ବିଧାୟକ ଅଭିଯୋଗ କରିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟକୁ ଯାଇଥିବା ବେଳେ ଚିଫ୍ ୱାର୍ଡେନ ସୁଦର୍ଶନ ମିଶ୍ର ଅଯଥା ଯୁକ୍ତିତର୍କ କରିଥିଲେ । ଏହାକୁ ନେଇ ସେ ଚିଫ୍ ୱାର୍ଡେନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଅନ୍ୟପଟେ ରେଭେନ୍ସା ଟିଚର୍ସ ଆସୋସିଏସନ୍ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି । ଆସୋସିଏସନ୍‌ର ପକ୍ଷରୁ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି । ଘଟଣାକୁ ନେଇ ଉଭୟ ପକ୍ଷ ନିଜ ନିଜ ଅବସ୍ଥାନରେ ଅଟଳ ରହିଛନ୍ତି । ଏହି ବିବାଦ ପରେ ବିଶ୍ୱବିଦ୍ୟାଳୟର ପରିବେଶ ଉପରେ ମଧ୍ୟ ପ୍ରଭାବ ପଡ଼ିଛି । ଶିକ୍ଷକ, ଛାତ୍ରଛାତ୍ରୀ ଓ ପ୍ରଶାସନ ମଧ୍ୟରେ ଏହାକୁ ନେଇ ଆଲୋଚନା ଜୋର ଧରିଛି । ବିଧାୟକଙ୍କ ଅଭିଯୋଗ ଓ ଟିଚର୍ସ ଆସୋସିଏସନ୍‌ର ପ୍ରତିକ୍ରିୟା ପରେ ଏହି ବିବାଦ ଆଗକୁ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
 

Comments are closed, but trackbacks and pingbacks are open.