ନୂଆଦିଲ୍ଲୀ: ସିରିଆର ଏକ ଅଦାଲତ ପୂର୍ବତନ ରାଷ୍ଟ୍ରପତି ବଶର ଅଲ୍-ଅସଦ୍ ଏବଂ ତାଙ୍କ ସାନ ଭାଇ ମାହେର ଅଲ୍-ଅସଦ୍ଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ମାନବତା ବିରୋଧୀ ଅପରାଧ ଓ ଯୁଦ୍ଧ ଅପରାଧ ପାଇଁ ଉଭୟଙ୍କୁ ସେମାନଙ୍କ ଅନୁପସ୍ଥିତିରେ ଦୋଷୀ ସାବ୍ୟସ୍ତ କରାଯାଇ ଏହି ଦଣ୍ଡାଦେଶ ଶୁଣାଯାଇଛି। ସିରିଆରେ ୧୪ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧରେ ପ୍ରାୟ ୫ ଲକ୍ଷ ଲୋକଙ୍କ ଜୀବନ ଯାଇଥିବା ବେଳେ ଉଭୟ ଭ୍ରାତା ଏହି ନରସଂହାର ପାଇଁ ଅଭିଯୁକ୍ତ ଥିଲେ। ଏହି ସମାନ ମାମଲାରେ ଅସଦ୍ଙ୍କ ମାମୁଁ ପୁଅ ଭାଇ ଥାଆନ୍ତି ତଥା ସିରିଆ ସେନାର ପୂର୍ବତନ ବ୍ରିଗେଡିୟର ଜେନେରାଲ୍ ଆତିଫ୍ ନଜିବ୍ଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଛି। ୨୦୧୧ରେ ଦାରା ପ୍ରଦେଶର ରାଜନୈତିକ ସୁରକ୍ଷା ଶାଖା ମୁଖ୍ୟ ଥିବା ନଜିବ୍ଙ୍କ ନେତୃତ୍ୱରେ ହୋଇଥିବା ନିଷ୍ଠୁର ଦମନଲୀଳା ପରବର୍ତ୍ତୀ ସମୟରେ ଗୃହଯୁଦ୍ଧର ରୂପ ନେଇଥିଲା। ୨୦୨୪ ଡିସେମ୍ବରରେ କ୍ଷମତାଚ୍ୟୁତ ହେବା ପରେ ବଶର ଓ ମାହେର ରୁଷ ପଳାୟନ କରି ସେଠାରେ ଶରଣାର୍ଥୀ ଭାବେ ରହୁଛନ୍ତି। ମାତ୍ର ଆତିଫ୍ ନଜିବ୍ ରୁଷ ପଳାଇବାରେ ବିଫଳ ହୋଇ ୨୦୨୫ ଜାନୁଆରୀରେ ଗିରଫ ହୋଇଥିଲେ। ବିଚାରପତି ଦଣ୍ଡାଦେଶ ଘୋଷଣା କରିବା ସମୟରେ କଏଦୀ ପୋଷାକ ପିନ୍ଧିଥିବା ନଜିବ୍ଙ୍କୁ କୋର୍ଟର ପିଞ୍ଜରା ଭିତରେ ହାଜର କରାଯାଇଥିଲା।
Comments are closed, but trackbacks and pingbacks are open.