ଲୁଟିବାର ନୂଆ ତରିକା ଆପଣାଇଛନ୍ତି ସାଇବର୍ ସୁନ୍ଦରୀ

546

ଭୁବନେଶ୍ୱର : ସମ୍ପ୍ରତି ସୋସିଆଲ୍ ମିଡିଆ ଯୁବପିଢିଙ୍କ ଯେତିକି ଉପକାରରେ ଆସିପାରୁନି, ସେତିକି ଯୁବପିଢିଙ୍କୁ ପଥଭ୍ରଷ୍ଟ କରାଉଛି । କେହି କିଛି ବୁଝିବା ଆଗରୁ ଲୁଟ୍‌ର ଶିକାର ହେଉଛନ୍ତି । କେବଳ ଯୁବପିଢି ନୁହେଁ, ବୟସ୍କମାନେ ମଧ୍ୟ ସୋସିଆଲ୍ ମିଡିଆ ସୁନ୍ଦରୀ କବଳରେ ପଡ଼ି ସର୍ବସ୍ୱାନ୍ତ ହେଉଛନ୍ତି ।
ରାଜ୍ୟରେ ସାଇବର ଠକ କାୟା ବିସ୍ତାର କରିଥିବା ବେଳେ ଏବେ ନୂଆ ନୂଆ ଅନ୍ଦାଜରେ ଠକୁଥିବା ନେଇ ଅଭିଯୋଗ ହେଉଛି । ପୂର୍ବରୁ ଅଜଣା ଲୋକଙ୍କୁ କଲ୍ କରି ଅଶ୍ଲୀଳ ଭିଡିଓ ଚାଟ୍ ପରେ ବ୍ଲାକ୍ ମେଲ୍ କରି ଟଙ୍କା ଲୁଟୁଥିଲେ । ଏବେ ସେମାନେ ତରିକା ବଦଳାଇଛନ୍ତି । ପ୍ରଥମେ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରୁ ଆସେ ଫ୍ରେଣ୍ଡ୍ ରିକୁଏଷ୍ଟ୍ । ଡିପିରେ ମନଲୋଭା ଫଟୋ ଦେଖି ନିଜକୁ ନିୟନ୍ତ୍ରଣ କରିପାରନ୍ତିନି ଯୁବପିଢି । ଧୀରେ ଧୀରେ ହାଲୋ, ହାଏ, ହାଓ ଆର୍ ୟୁ, କ’ଣ କରୁଛ, କେମିତି ଅଛରୁ ଆରମ୍ଭ ହୁଏ ମଧୁର ଆଳାପ । ଯୁବକ ଅଥବା ବୟସ୍କଙ୍କ ମନ ସେମାନଙ୍କ କବ୍‌ଜାକୁ ଚାଲିଯିବା ପରେ ସେମାନେ ପ୍ରେମଜାଲରେ ଫସାନ୍ତି । ସକାଳୁ ରାତି ଯାଏ ରୋମାଣ୍ଟିକ୍ ମେସେଜ୍ ମାଧ୍ୟମରେ ମନକୁ ବାନ୍ଧି ରଖନ୍ତି । ଏହା ପରେ ଆରମ୍ଭ ହୁଏ ତାଙ୍କର ପ୍ରକୃତ ଖେଳ । ଦେଖାନ୍ତି ସମ୍ପର୍କ ଗଢ଼ିବାର ଅସଲ ଉଦ୍ଦେଶ୍ୟ । ବିଭିନ୍ନ ସମସ୍ୟା କଥା କହି ସେମାନେ ଅର୍ଥ ମାଗନ୍ତି । ଯେମିତିକି ମୋ ମାଆଙ୍କ ଦେହ ଖରାପ ଅଛି, ମୋବାଇଲରୁ ରିଚାର୍ଜ ସରିଯାଇଛି, ଅମୁକ ଜିନିଷ କିଣିବା ପାଇଁ ଟଙ୍କା ଦେଇପାରୁନି, ମୋର ଦେହ ଭୀଷଣ ଖରାପ, ମୋର ଏକ ଅସ୍ତ୍ରୋପଚାର ହେବ ପ୍ରଭୃତି । ଥରେ ନୁହେଁ, ଏମିତି ବାରମ୍ବାର ବିଭିନ୍ନ କଥା କହି ଟଙ୍କା ମାଗନ୍ତି । ତା’ ଭିତରେ ଚାଲିଥାଏ ମଧୁର ଆଳାପ । କିଛି ରୋମାଣ୍ଟିକ୍ କଥାବାର୍ତ୍ତା । କ୍ୟାରିୟର୍ ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ଯୁବକ ଜଣଙ୍କ ପାଠପଢ଼ାରେ ମନ ଦେବେ କ’ଣ, ମାତିଯାଉଛନ୍ତି ସାଇବର୍ ସୁନ୍ଦରୀଙ୍କ ପ୍ରେମରେ । ହଜେଇ ଦେଉଛନ୍ତି ତାଙ୍କ ମିଠା ମିଠା କଥାବାର୍ତ୍ତାରେ । ଏମିତିକି ବୟସ୍କମାନେ ମଧ୍ୟ ନିଜ ପିଲାଛୁଆଙ୍କ ସଂସାର କଥା ଭୁଲି ବୁଡ଼ିରହୁଛନ୍ତି ସେମାନଙ୍କ ମିଠା ମିଠା ଚାଟିଂରେ । ବିଭିନ୍ନ ନିଶାଦ୍ରବ୍ୟରେ ଅଭ୍ୟସ୍ତ ନିଶାଡ଼ିଙ୍କ ପରି ଏମାନେ ମଧ୍ୟ ଅଜ୍ଞାତ ସୁନ୍ଦରୀଙ୍କ ପ୍ରେମରେ ହଜାର ହଜାର ଟଙ୍କା ଉଡ଼ାନ୍ତି । କାଁ ଭାଁ ସେହି ସୋସିଆଲ୍ ମିଡିଆ ସୁନ୍ଦରୀ ଲୁଟିବା ବାହାନାରେ ସାମ୍‌ନାକୁ ଆସନ୍ତି । ସେହି ସୀମିତ ଭିତରେ ସେମାନେ ପଥଭ୍ରଷ୍ଟ ଯୁବକ ଓ ବୟସ୍କଙ୍କୁ ଲୁଟି ଅଦୃଶ୍ୟ ହୋଇଯାଆନ୍ତି କେଉଁ ଅଜଣା ଠିକଣାରେ । ଯେତେବେଳେ ସାଇବର୍ ସୁନ୍ଦରୀ ଜଣଙ୍କ ଅନୁଭବ କରନ୍ତି ଯେ ସମ୍ପୃକ୍ତ ଯୁବକ ବା ବ୍ୟକ୍ତିଙ୍କଠାରୁ ଆଉ ଅର୍ଥ ମିଳିପାରିବ ନାହିଁ ସେତେବେଳେ ସେମାନେ ଆକସ୍ମିକ ଭାବେ ପରିଚୟ ବଦଳାଇ ଅଦୃଶ୍ୟ ହୋଇଯାଆନ୍ତି । ଲୋକଲଜ୍ଜା ଭୟରେ ଏହି ଘଟଣା ସମ୍ପର୍କରେ ପ୍ରାୟ କେହି ସାଇବର୍ ଥାନାରେ ଅଭିଯୋଗ କରୁ ନ ଥିଲେ ମଧ୍ୟ ରାଜଧାନୀର ବିଭିନ୍ନ ଖଟିରେ ଏ ଘଟଣା ସମ୍ପର୍କରେ ଶୁଣିବାକୁ ମିଳୁଛି । ଅନ୍‌ଲାଇନ୍ ପ୍ରେମ ନିଶା କେବଳ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରୁନି, ସେମାନଙ୍କ ମନରେ ସାମାଜିକ ସମ୍ପର୍କକୁ ନେଇ ଭୟଙ୍କର ଅବିଶ୍ୱାସ ସୃଷ୍ଟି କରୁଛି । ବୟସ୍କମାନେ ଏ ସମ୍ପର୍କରେ କାହାରିକୁ କିଛି କହିପାରୁ ନ ଥିଲେ ମଧ୍ୟ ଭିତରେ ଭିତରେ ଲୁହ ଗଡ଼ାଇବା ସାର ହେଉଛି । ଅନେକଙ୍କ ସଂସାର ଉଜୁଡ଼ିଯାଉଛି । ନିଜ ସନ୍ତାନ ଓ ପରିବାର ପାଇଁ ସଞ୍ଚୟ କରିଥିବା ଧନକୁ ସେମାନେ ନିର୍ଦ୍ୱନ୍ଦ୍ୱରେ ଅଦୃଶ୍ୟ ସାଇବର୍ ସୁନ୍ଦରୀ ପ୍ରେମରେ ଉଡ଼ାଇ ଦେଉଛନ୍ତି । ଏହାକୁ ରୋକିବାକୁ ହେଲେ ସଚେତନତା ଏକାନ୍ତ ଜରୁରୀ ।

Leave A Reply

Your email address will not be published.