ସିଏସଟିଟି -କିଟ୍ ମିଳିତ ବିଶେଷଜ୍ଞ ପରାମର୍ଶଦାତା କମିଟି କର୍ମଶାଳା ଉଦଯାପିତ

9

ଭୁବନେଶ୍ୱର୨୫।୫: ଜାତୀୟ ଶିକ୍ଷା ନୀତି ୨୦୨୦ର ଲକ୍ଷ୍ୟ ଅନୁଯାୟୀ ଭାରତୀୟ ଭାଷାରେ ବୈଷୟିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବୈଜ୍ଞାନିକ ଏବଂ ବୈଷୟିକ ଶବ୍ଦାବଳୀ ଆୟୋଗ (ସିଏସଟିଟି) ଓ କିଟ୍ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଆୟୋଜିତ ପାଞ୍ଚଦିନିଆ ବିଶେଷଜ୍ଞ ପରାମର୍ଶଦାତା କମିଟି କର୍ମଶାଳା ଇତି ମଧ୍ୟରେ ସଫଳତାର ସହ ସମାପ୍ତ ହୋଇଛି। ୧୮ରୁ ୨୨ ମଇ ପର୍ଯ୍ୟନ୍ତ ଆୟୋଜିତ ଏହି କର୍ମଶାଳାରେ “ଇଲେକ୍ଟ୍ରୋନିକ୍ସ” ଏବଂ “ରାଜନୀତି ବିଜ୍ଞାନ” ବିଷୟର ଇଂରାଜୀ–ହିନ୍ଦୀ–ଓଡ଼ିଆ ଶବ୍ଦକୋଷ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ମଶାଳାରେ ଇଲେକ୍ଟ୍ରୋନିକ୍ସର ୨,୮୩୩ଟି ଏବଂ ରାଜନୀତି ବିଜ୍ଞାନର ପ୍ରାୟ ୩,୮୦୦ଟି ଓଡ଼ିଆ ବୈଷୟିକ ଶବ୍ଦ ଚୂଡ଼ାନ୍ତ କରାଯାଇଛି।

ବିଶେଷଜ୍ଞମାନଙ୍କ ମତାନୁସାରେ, ଏହି ଶବ୍ଦାବଳୀ ପାଠ୍ୟପୁସ୍ତକ, ଅନୁବାଦ, ଇ-କଣ୍ଟେଣ୍ଟ ଏବଂ ଡିଜିଟାଲ ଶିକ୍ଷା ସମ୍ପଦ ପ୍ରସ୍ତୁତିରେ ଉପକାରୀ ହେବ। ବକ୍ତାମାନେ କହିଥିଲେ ଯେ ମାତୃଭାଷା ଆଧାରିତ ଶିକ୍ଷା ଛାତ୍ରଛାତ୍ରୀଙ୍କ ବୁଝାମଣା, ଆତ୍ମବିଶ୍ୱାସ, ନବୀନତା ଓ ଗବେଷଣା କ୍ଷମତା ବୃଦ୍ଧିରେ ସହାୟକ ହେବ। ଏହି ପ୍ରୟାସକୁ ଭାରତୀୟ ଭାଷାରେ ବୈଷୟିକ ଶିକ୍ଷାର ପ୍ରସାର ପାଇଁ ଏକ ମାଇଲସ୍ଟୋନ୍ ବୋଲି ଅଭିହିତ କରାଯାଇଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଉପରେ ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ନୂତନ ଶିକ୍ଷାନୀତିରେ ଇଂରାଜୀ–ହିନ୍ଦୀ–ଓଡ଼ିଆ ଶବ୍ଦକୋଷ ପ୍ରସ୍ତୁତି ନିହାତି ଆବଶ୍ୟକ ଥିଲା। ଏହା ନିଶ୍ଚିତ ଭାବେ ଫଳପ୍ରଦ ହେବ ବୋଲି ଶ୍ରୀ ସାମନ୍ତ ଆଶା ବ୍ୟକ୍ତ କରିଛନ୍ତି। 

Comments are closed, but trackbacks and pingbacks are open.