₹୭୦ କୋଟିର ଜାଲ୍‌ ମୁଦ୍ରା କାରବାର ଠାବ, ମୁଖ୍ୟ ଅଭିଯୁକ୍ତ ସହ ୫ ଜଣ ଗିରଫ

22

ସହାରନପୁର: ଉତ୍ତର ପ୍ରଦେଶର ସହାରନପୁର ପୋଲିସ ପ୍ରାୟ ୭୦ କୋଟି ଟଙ୍କାର ଜାଲ୍‌‌ ୨୦ ଟଙ୍କିଆ ମୁଦ୍ରା କାରବାର କରୁଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ପୁଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ମୋଟ ୫ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ୧.୨୮ ଲକ୍ଷ ଟଙ୍କା ମୂଲ୍ୟର ୬, ୪୦୦ଟି ଜାଲ୍‌‌ ୨୦ ଟଙ୍କିଆ ମୁଦ୍ରା, ୫ ଲକ୍ଷ ଟଙ୍କାର ଅଧାଗଢ଼ା ମୁଦ୍ରା, ୬ଟି ମୁଦ୍ରା ତିଆରି ମେସିନ୍‌‌ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରାଯାଇଛି। ପୋଲିସର ତଥ୍ୟ ଅନୁଯାୟୀ, ଗ୍ୟାଙ୍ଗର ମୁଖ୍ୟ ହେଉଛି ପଞ୍ଜାବର ମୋହାଲି/ଜୀରକପୁର ନିବାସୀ ଉପକାର ଲୁଥ୍ରା ଓରଫ୍‌‌ ଅଭୟ ପ୍ରତାପ ସିଂହ। ପୂର୍ବରୁ ସୁନାକାମ କରୁଥିବା ଉପକାର ୨୦୦୧ ମସିହାରୁ ଜାଲ୍‌‌ ମୁଦ୍ରା କାରବାରରେ ସମ୍ପୃକ୍ତ ଅଛି। ଅନ୍ୟ ଗିରଫ ଅଭିଯୁକ୍ତମାନେ ହେଲେ ହିମାଂଶୁ ଓରଫ୍‌‌ ଗୁଲ୍ଲୁ, କୁଲଦୀପ, ଅନୁରାଗ ପାଲ ଓରଫ୍‌‌ ଲଙ୍କେଶ ଏବଂ ସନ୍ତୋଷ ଚୌରସିଆ ଓରଫ୍‌‌ ଜନାର୍ଦ୍ଦନ। ତିହାର ଜେଲ୍‌ରେ ରହିବା ସମୟରେ ଏମାନଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଜେଲ୍‌ରେ ହିଁ ଏହି ଜାଲ୍‌‌ ମୁଦ୍ରା ନେଟୱାର୍କର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ଗ୍ୟାଙ୍ଗ୍‌‌ ହରିୟାଣାର ସୋନିପତରେ ଏକ ଫ୍ୟାକ୍ଟ୍ରି ବସାଇ ଦୈନିକ ୧୦,୦୦୦ରୁ ୧୨,୦୦୦ ଜାଲ୍‌‌ ମୁଦ୍ରା ତିଆରି କରୁଥିଲା। ପ୍ରତି ୨୦ ଟଙ୍କିଆ ମୁଦ୍ରା ତିଆରି ପାଇଁ ୫ ରୁ ୬ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ, ଏହାକୁ ୧୨ ରୁ ୧୫ ଟଙ୍କାରେ ଏଜେଣ୍ଟମାନଙ୍କୁ ଯୋଗାଇ ଦିଆଯାଉଥିଲା। ଏହି ମୁଦ୍ରା ଗୁଡ଼ିକୁ ମୁଖ୍ୟତଃ ମଦ ଦୋକାନ, ଟୋଲ୍‌‌ ପ୍ଲାଜା ଏବଂ ତେଜରାତି ଦୋକାନ ମାଧ୍ୟମରେ ବାଜାରରେ ପ୍ରଚଳନ କରାଯାଉଥିଲା। ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ବିହାରରେ ବିସ୍ତୃତ ଏହି ନେଟୱାର୍କ ଗତ ୬ ମାସ ମଧ୍ୟରେ ପ୍ରାୟ ୭୦ କୋଟି ଟଙ୍କାର ଜାଲ୍‌‌ ମୁଦ୍ରା କାରବାର କରିଥିବା ଅନୁମାନ କରାଯାଉଛି।

Comments are closed, but trackbacks and pingbacks are open.