ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପରେ ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା କରାଯାଇଥିବା ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା କୁ କେମିତି ପରିଚାଳନା କରାଗଲା, ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ଶୁକ୍ରବାର ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ରାଜ୍ୟ ସରକାର ଏବଂ OPSCଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ବାତ୍ୟା ଅର୍ଣ୍ଣବ ଯୋଗୁଁ ଅଚାନକ ସୃଷ୍ଟି ହୋଇଥିବା ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳରେ, ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ମୁଖ୍ୟ ପରୀକ୍ଷାକୁ ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବାତ୍ୟା ଅର୍ଣ୍ଣବରେ ‘ଦକ୍ଷିଣ ଓଡ଼ିଶା’ ଅଧିକ ପ୍ରଭାବିତ ହୋଇଥିଲା। ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲା ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁ ବହୁ କ୍ଷୟକ୍ଷତି ଘଟିଛି। ଏମିତିକି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏଭଳି ସ୍ଥିତିରେ ସେହି ସ୍ଥାନଗୁଡ଼ିକରେ ଏହି ପରୀକ୍ଷା ପରିଚାଳନା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା? ବିଶେଷକରି ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ କ’ଣ ସବୁ ପଦକ୍ଷେପ ନିଆ ଯାଇଥିଲା? ବନ୍ୟା ଅଞ୍ଚଳରେ ଗମନାଗମନ ବ୍ୟବସ୍ଥା କରାଯାଇଥିଲା କି ନାହିଁ? କେତେ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ପାରି ନାହାନ୍ତି?- ଆଦି ପ୍ରଶ୍ନକୁ ନେଇ ଆବେଦନକାରୀ କୋର୍ଟଙ୍କ ନିକଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଏହି ମାମଲାକୁ କୋର୍ଟ ଗ୍ରହଣ କରିବା ସହ ଏହାର ତଥ୍ୟ ଆଗାମୀ ଶୁଣାଣି ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ ଏବଂ ଜଷ୍ଟିସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ, ରଶ୍ମି ନାରାୟଣ ପଟ୍ଟନାୟକଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
Comments are closed, but trackbacks and pingbacks are open.