ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଗାଏବ ହେବା ଘଟଣାରେ ଦୁଇ ଅବସରପ୍ରାପ୍ତ ଅଫିସରଙ୍କୁ ନୋଟିସ୍ ପଠାଇଲା କମିଶନରେଟ ପୁଲିସ

19

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ଫାଇଲ ଗାଏବ ହେବା ଘଟଣାରେ କମିଶନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ଆଇଟି ସଚିବ ମନୋଜ କୁମାର ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ ନୋଟିସ୍ ଜାରି କରିଛି। ଏହି ଦୁଇ ଅବସରପ୍ରାପ୍ତ ଅଫିସରଙ୍କୁ ୩ଦିନ ମଧ୍ୟରେ ତଦନ୍ତକାରୀ ଅଫିସର ପାଖରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ, କମିଶନରେଟ ପୁଲିସ ନିଜର ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ଏହି ମାମଲାର ଖୋଳତାଡ଼ କରିବା ପରେ ଏହି ଦୁଇ ବରିଷ୍ଠ ଅଫିସରଙ୍କୁ ନୋଟିସ୍ ଜାରି କରିଛି । ଶ୍ରୀ ମିଶ୍ର ଆଇଟି ସଚିବ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ଭାବେ କାର୍ଯ୍ୟ କରୁଥିଲେ ଓ ବିଜେଡି ସରକାର କ୍ଷମତାରୁ ଯିବା ପରେ ଚାକିରିରୁ ଇସ୍ତଫା ଦେଇଥିଲେ। ୨୦୦୮ ମସିହାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ଜଷ୍ଟିସ ନାଇଡ଼ୁ କମିଶନ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗାଏବ ହୋଇଥିବା ନେଇ ଗୃହ ବିଭାଗ ପକ୍ଷରୁ ଗତ ଜୁନ୍ ମାସରେ ପୁଲିସରେ ଏଫଆଇଆର ଦିଆଯାଇଥିଲା ।

Comments are closed, but trackbacks and pingbacks are open.