ନିର୍ବାଚନ ପୂର୍ବରୁ ବାଣୀବିହାର ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି, ପୋଲିସ ମୁତୟନ

31

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଉତ୍ତେଜନା ଦେଖାଦେଇଛି ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ। ଆଜି ହେବାକୁ ଥିବା ‘ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ’ ପୂର୍ବରୁ ଦୁଇଟି ଛାତ୍ର ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୂଚନାଯୋଗ୍ୟ, ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ସବୁଆଡ଼େ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳୁଥିବାବେଳେ କ୍ଲାସରୁମ୍‌ରୁ ଆରମ୍ଭ କରି ହଷ୍ଟେଲ ପର୍ଯ୍ୟନ୍ତ ସବୁଠି ଛାତ୍ରଛାତ୍ରୀଙ୍କ ଭିତରେ ବେଶ୍ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଛି। ଆଜି ‘ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ’ ଜରିଆରେ ପ୍ରାର୍ଥୀମାନେ ନିଜର ଲକ୍ଷ୍ୟ, ଯୋଜନା ଓ ପ୍ରତିଶ୍ରୁତି ସାଥୀମାନଙ୍କ ସାମ୍ନାରେ ରଖୁଛନ୍ତି। ସମର୍ଥନ ହାତେଇବା ପାଇଁ ପ୍ରାର୍ଥୀମାନେ ଜୋରସୋରରେ ଭୋଟଭିକ୍ଷା କରୁଛନ୍ତି। କିଏ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଉଛି, ତ ଆଉ କିଏ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାରେ ଲାଗିଛି। ଏପରିକି ନିର୍ବାଚନ ପୂର୍ବରୁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଶେଷ ଭୋଜିଭାତ ମଧ୍ୟ କରାଯାଇଛି। ଅନ୍ୟପକ୍ଷରେ କିଛି କଲେଜରେ ହିଂସାର ଆଶଙ୍କା ଥିବାରୁ କ୍ୟାମ୍ପସରେ ପୋଲିସ ମୁତୟନ କରାଯିବା ସହ ସିସିଟିଭି ମାଧ୍ୟମରେ କଡ଼ା ନଜର ରଖାଯାଇଛି। ଆସନ୍ତାକାଲି ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ଏହାପରେ ଅପରାହ୍ଣ ୨ଟାରୁ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ ଏବଂ ଆଗାମୀ ଶୁକ୍ରବାର ଦିନ ବିଜୟୀ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ। ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ହେଉଥିବାରୁ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସମସ୍ତ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

Comments are closed, but trackbacks and pingbacks are open.