ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

643

ଭୁବନେଶ୍ୱର : ଆଜି ପବିତ୍ର ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।

ମକର ସଂକ୍ରାନ୍ତି ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ। ସାଧାରଣତଃ ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରିଥାନ୍ତି। ସେହି ରାଶିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ଧନୁ ରାଶିରୁ ମକର ରାଶିକୁ ଆସନ୍ତି। ବିଶ୍ୱାସ ରହିଛି ଆଜିଠାରୁ ମକର ଚାଉଳ ଏବଂ ତିଳଉ (ଚାଉଳ ଚୁନା ଓ ଗୁଡ଼ରୁ ତିଆରି ଏକ ପ୍ରକାର ମିଠା ) ଖାଇ ଦିନ ତିଳେ ତିଳେ ବଢିଥାଏ ଇସେହିପରି ଆଜିଠାରୁ ବସନ୍ତ ଋତୁର ଆଗମନକୁ ସୂଚନା ଦେଇଥାଏ I ଧୀରେ ଧୀରେ ଦକ୍ଷିଣ ପବନ ବୋହିବା ସାଙ୍ଗକୁ ଗଛପତ୍ର ସବୁ ପତ୍ର ଝାଡା ଦେବା ଆରମ୍ଭ କରନ୍ତି I

ଅନ୍ୟପଟେ ପୌଷ ମାସ ହେତୁ ଅଟକି ଯାଇଥବା ଶୁଭ କାର୍ଯ୍ୟ ମକର ସଂକ୍ରାନ୍ତି ଠାରୁ ପୁଣି ଆରମ୍ଭ ହୋଇଯାଏ। ଏହି ପର୍ବକୁ ଦେଶର କୋଣ ଅନୁକୋଣରେ ଲୋକ ଭିନ୍ନ ଭିନ୍ନ ଭାବେ ପାଳନ କରିଥାନ୍ତି ।

ମକର ସଂକ୍ରାନ୍ତି ଦିନ ଓଡ଼ିଶାର ଲୋକେ ‘ମକର ଚାଉଳ’ ପ୍ରସ୍ତୁତ କରି (ଅରୁଆ ଚାଉଳ, ଗୁଡ଼, ଛେନା, କଦଳୀ, ନଡ଼ିଆ, ଘିଅ, କ୍ଷୀର ଆଦି) ଦେବଦେବୀଙ୍କ ନିକଟରେ ଭୋଗ କରିଥାନ୍ତି । ଏହି ଭୋଗକୁ ଆନନ୍ଦରେ ସାଙ୍ଗସାଥୀ ଏବଂ ପଡ଼ୋଶୀଙ୍କୁ ବଣ୍ଟାଯାଇଥାଏ । ଆଜି ନୂତନ ବସ୍ତ୍ର ପିନ୍ଧି ଘରର ବୟୋଜ୍ୟେଷ୍ଠ ମାନଙ୍କୁ ମୁଣ୍ଡିଆ ମରିବାର ପରମ୍ପରା ମଧ୍ୟ ରହିଛି । ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ସ୍ନାନ ଓ ଦାନର ବିଶେଷ ମହତ୍ତ୍ବ ରହିଛି । ମକର ସଂକ୍ରାନ୍ତିର ପୁଣ୍ୟକାଳରେ ପ୍ରତ୍ୟୁଷରୁ ନଦୀ, ପୋଖରୀ ଆଦିରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି।

ଆଜିର ଦିନରେ ଗୁଡ଼ି ଉଡାଇବାର ମଧ୍ୟ ପରମ୍ପରା ରହିଛି, ତେବେ ସୁରକ୍ଷା ଦୃଷ୍ଟିରୁ ଗୁଡ଼ି ଉଡାଇବାବେଳେ ମାଞ୍ଜା ସୁତା କିମ୍ବା ଚାଇନିଜ୍ ସୂତା ବ୍ୟବହାର ନକରିବାକୁ ପୋଲିସ କଡ଼ା ଚେତାବନୀ ଦେଇଛି ।

Comments are closed, but trackbacks and pingbacks are open.