ଗଭୀର ଅବପାତ ଜନିତ ବର୍ଷା ପରିସ୍ଥିତିର ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ‘ଜିରୋ କାଜୁଆଲ୍‌ଟି’ ଉପରେ ଗୁରୁତ୍ୱ

111

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ପ୍ରବଳ ବର୍ଷା ଓ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଅବପାତର ବର୍ତ୍ତମାନର ସ୍ଥିତି, ସମ୍ଭାବ୍ୟ ବର୍ଷାର ପରିମାଣ ଏବଂ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ଏକମାତ୍ର ମୂଳନୀତି ହେଉଛି-‘ଜିରୋ କାଜୁଆଲ୍‌ଟି’ (ଶୂନ୍ୟ ଜୀବନହାନି)। ତେଣୁ, ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ଜିଲ୍ଲା ପ୍ରଶାସନ ସହିତ ନିବିଡ଼ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବା ଆବଶ୍ୟକ। ଲୋକଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ଜଳବନ୍ଦୀ ଅଞ୍ଚଳଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ସେମାନଙ୍କୁ ଆବଶ୍ୟକୀୟ ରିଲିଫ୍ ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯଦିଓ ବାତ୍ୟାର କୌଣସି ଆଶଙ୍କା ନାହିଁ, ତଥାପି ସମସ୍ତ ପ୍ରକାର ଆଗୁଆ ବ୍ୟବସ୍ଥା ସହ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଅବପାତ ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ୨୫ ତାରିଖ ପରଠାରୁ ପାଣିପାଗରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

Comments are closed, but trackbacks and pingbacks are open.