ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ: ଟେକ୍ନୋଲୋଜି ଉପରେ ଫୋକସକୁ ନେଇ ପ୍ରଶଂସା, ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ

15

ଚଳିତ ବର୍ଷର ଆର୍ଥିକ ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଏହି ବଜେଟକୁ ସ୍ୱାଗତ ଜଣାଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି ସାଧାରଣ ବଜେଟ ଅଳ୍ପ ଖୁସି ଆଣିଥିଲେ ମଧ୍ୟ ଏଥିରେ ମଧ୍ୟବିତ୍ତ ନିରାଶ ହୋଇଛନ୍ତି I ନବୀନ କହିଛନ୍ତି, ଟେକ୍ନୋଲୋଜି ଓ ଭିତ୍ତିଭୂମି ବିକାଶ ନେଇ ବଜେଟରେ ଗୁରୁତ୍ୱ ଦିଆଯାଇଥିବାରୁ ଏହାର ସକରାତ୍ମକ ପ୍ରଭାବ ପଡିବ । ତେବେ କୃଷିର ବିକାଶ, କୃଷକ କଲ୍ୟାଣ, ଉଚ୍ଚ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ ପାଇଁ ବ୍ୟୟବରାଦ କମିଛି, ଯାହା ସାମଗ୍ରିକ ବିକାଶରେ ବାଧା ସୃଷ୍ଟି କରିବ । ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ଉପରେ ଗୁରୁତ୍ୱ ଏକ ସକରାତ୍ମକ ପ୍ରଭାବ ପକାଇବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବ୍ୟତୀତ କରୋନାର ଭୟାବହତା ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ବିକାଶ ମଧ୍ୟ ଖୁବ ସହାୟକ ହେବ । ବିଭିନ୍ନ କ୍ଷେତ୍ରରେ ଯଥା: କୃଷି, କୃଷକ କଲ୍ୟାଣ, ଗ୍ରାମାଞ୍ଚଳର ବିକାଶ ସହିତ ମହିଳା ଏବଂ ଶିଶୁ ବିକାଶ କଲ୍ୟାଣ ଯୋଜନାରେ କ୍ଷେତ୍ର ଆବଣ୍ଟନ ସାମାନ୍ୟ ହ୍ରାସ ପାଇଛି । ଯାହା ଅଭିବୃଦ୍ଧିରେ ମଧ୍ୟ ପ୍ରଭାବ ପକାଇପାରେ । ତେବେ ମହାମାରୀ ସମୟରେ ମନରେଗା ଖର୍ଚ୍ଚ କାଟ କରିବା ମଧ୍ୟ ଗରିବ ଲୋକଙ୍କ ସମସ୍ୟାକୁ ବୃଦ୍ଧି କରିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି I

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ମିଶନ ଯୋଜନାରେ ଅଧିକ ବ୍ୟୟ ବରାଦକୁ ସ୍ୱାଗତଯୋଗ୍ୟ କହିଛନ୍ତି ।ତେବେ ଦରଦାମ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦରଦାମ ବୃଦ୍ଧି ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀର ଲୋକମାନଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିଛି । ଏହା ସତ୍ତ୍ୱେ ବଜେଟରେ ଦରଦାମକୁ ନେଇ କୌଣସି ପ୍ରସ୍ତାବ ଲାଗୁ ହୋଇନାହିଁ । ଏଥିସହ ଓଡିଶାର ଆଦିବାସୀ ଏବଂ ଗରିବ ଶ୍ରେଣୀର ଲୋକମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ କେନ୍ଦ୍ର ହୃଦୟଙ୍ଗମ କରି ବଜେଟରେ ସାମାନ୍ୟ ସଂଶୋଧନ କରିବା ନେଇ ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.