OSM ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ସ୍ୱୀକାର କଲା ସିବିଏସ୍‌ଇ

11

ନୂଆଦିଲ୍ଲୀ:ଅନ୍-ସ୍କ୍ରିନ୍ ମାର୍କିଂ(OSM) ପୋର୍ଟାଲର ସୁରକ୍ଷାଗତ ତ୍ରୁଟି ଥିବା ସ୍ୱୀକାର କରିଛି ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE)। ଜଣେ ୧୯ ବର୍ଷୀୟ ସାଇବର ସିକ୍ୟୁରିଟି ରିସର୍ଚ୍ଚରଙ୍କର ଯାଞ୍ଚରେ ଏହା ଧରାପଡ଼ିବା ପରେ ସିବିଏସଇ ସତ ମାନିଛି ।ଏହା ପୂର୍ବରୁ ବୋର୍ଡ ତ୍ରୁଟି ଅଭିଯୋଗକୁ ଖଣ୍ଡନ କରି ଚାଲିଥିଲା। ଜଣେ ୧୯ ବର୍ଷୀୟ ଏଥିକାଲ ହ୍ୟାକର ଦାବି କରିଥିଲେ ଯେ, CBSEର ମୂଲ୍ୟାୟନ ପୋର୍ଟାଲରେ ଗୁରୁତର ସୁରକ୍ଷା ତ୍ରୁଟି ରହିଛି, ଯାହା ମାଧ୍ୟମରେ ପରୀକ୍ଷକଙ୍କ ତଥ୍ୟ ଏବଂ ଛାତ୍ରଛାତ୍ରୀଙ୍କ ନମ୍ବର ସହିତ ସହଜରେ କାରସାଦି କରାଯାଇପାରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ CBSE ଏହି ଦାବିକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରି ଏହା ଏକ ପରୀକ୍ଷଣ ୱେବସାଇଟ୍ (Testing Site) ବୋଲି କହିଥିଲା।ଯୁବ ହ୍ୟାକର ନିଜ ଦାବିରେ ଅଟଳ ରହିଥିଲେ ଏବଂ ଏ ନେଇ ‘CERT-In’ (ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍) ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ସେ ପ୍ରମାଣ ସ୍ୱରୂପ କହିଥିଲେ ଯେ, ପୋର୍ଟାଲରେ ପାସୱାର୍ଡ ଲିକ୍, ବ୍ୟାଙ୍କ ତଥ୍ୟ ଏବଂ ଲଗ୍-ଇନ୍ ଟୋକେନ୍ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ସର୍ବସାଧାରଣ ହୋଇଯିବାର ଆଶଙ୍କା ରହିଛି। ଅନେକ ଦିନର ବିବାଦ ପରେ ବୋର୍ଡ ଏବେ ପୋର୍ଟାଲର ସୁରକ୍ଷା ସମ୍ବନ୍ଧୀୟ ତ୍ରୁଟିକୁ ସ୍ୱୀକାର କରି ଏହାକୁ ସୁଧାରିବା ପ୍ରକ୍ରିୟା ଆରମ୍ଭ କରିଛି। ଏହି ଘଟଣା ଶିକ୍ଷା ବୋର୍ଡର ଡିଜିଟାଲ୍ ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏନେଇ ସିବିଏସ୍‌ଇ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ପୋର୍ଟାଲରେ ଥିବା ତ୍ରୁଟିକୁ ଯାଞ୍ଚ କରାଯାଉଛି। ସମସ୍ୟା ସମଧାନ କରି ଏହାକୁ ସୁରକ୍ଷିତ କରିବା ପାଇଁ ସରକାରୀ ଏଜେନ୍ସି ଓ ଆଇଆଇଟିର ସାଇବର ସିକ୍ୟୁରିଟିକୁ ନିଯୁକ୍ତ କରାଯାଇଛି।

Comments are closed, but trackbacks and pingbacks are open.