ସିଜେଆଇଙ୍କ ବିରୋଧରେ ମନ୍ତବ୍ୟ ମାମଲା: ସଞ୍ଜୟ ରାଉତଙ୍କଠାରୁ ସ୍ପଷ୍ଟୀକରଣ ମାଗିଲେ ସୁପ୍ରିମକୋର୍ଟ

32

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (CJI) ଏବଂ ନ୍ୟାୟପାଳିକା ବିରୋଧରେ ଆପତ୍ତିଜନକ ବୟାନବାଜିକୁ ନେଇ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ। ଏହି ପ୍ରସଙ୍ଗରେ ତାଙ୍କ ଆଚରଣ ଓ ବକ୍ତବ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସନ୍ତୋଷଜନକ ସ୍ପଷ୍ଟୀକରଣ ନ ମିଳିବା ପର୍ଯ୍ୟନ୍ତ ସଞ୍ଜୟ ରାଉତ ସାମିଲ ଥିବା ଆବେଦନର ଶୁଣାଣି ସ୍ଥଗିତ ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳଗୁଡ଼ିକର ନେତାମାନେ ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର ‘ସ୍ୱତନ୍ତ୍ର ସଘନ ସଂଶୋଧନ’ (SIR) ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ସଞ୍ଜୟ ରାଉତ ଷଷ୍ଠ ଆବେଦନକାରୀ ଭାବେ ରହିଛନ୍ତି। ଶୁଣାଣି ସମୟରେ ଅଦାଲତ କହିଛନ୍ତି ଯେ, ମୂଳ ମାମଲାରେ ନୋଟିସ ଜାରି କରାଯାଉଛି, କିନ୍ତୁ ଜଣେ ଆବେଦନକାରୀ ଭାବେ ରାଉତଙ୍କୁ ନିଜର ଆଚରଣ ସମ୍ପର୍କରେ କୋର୍ଟଙ୍କୁ ବୁଝାଇବାକୁ ପଡ଼ିବ।ପୂର୍ବରୁ ପ୍ରଧାନ ବିଚାରପତି ବିରୋଧୀ ନେତାଙ୍କ ସହ ସାକ୍ଷାତ କରିବାକୁ ମନା କରିଦେବା ପରେ, ସଞ୍ଜୟ ରାଉତ CJI ଓ ନ୍ୟାୟପାଳିକା ବିରୋଧରେ କଡ଼ା ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଏବେ କୋର୍ଟ ତାଙ୍କଠାରୁ ଜବାବ ତଲବ କରିଛନ୍ତି। ଅନ୍ୟପଟେ, CJI ଓ ନ୍ୟାୟପାଳିକାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ସଞ୍ଜୟ ରାଉତ ଏବଂ ବରିଷ୍ଠ ସାମ୍ବାଦିକ ନିଖିଲ ୱାଗଲେଙ୍କ ବିରୋଧରେ ଫୌଜଦାରୀ ଅବମାନନା ମାମଲା ରୁଜୁ କରିବାକୁ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (SCBA) ନିବେଦନ କରିଛି। ଏହି ଅବମାନନା ଆବେଦନଟି ସଞ୍ଜୟ ରାଉତଙ୍କ ସ୍ପଷ୍ଟୀକରଣ ମାଗିବା ମାମଲାଠାରୁ ସମ୍ପୂର୍ଣ୍ଣ ପୃଥକ।

Comments are closed, but trackbacks and pingbacks are open.