ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସହାରନପୁର କଲେକ୍ଟରେଟ୍ ପରିସରରେ ଥିବା ଏକ ମସଜିଦ୍କୁ କଡ଼ା ପୁଲିସ ସୁରକ୍ଷା ବଳୟ ମଧ୍ୟରେ ବୁଲ୍ଡୋଜର ସାହାଯ୍ୟରେ ଉଚ୍ଛେଦ କରାଯାଇଛି। ସରକାରୀ ଜମିରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ଦର୍ଶାଇ ଜିଲ୍ଲା କୋର୍ଟଙ୍କ ଆଦେଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହି ଘଟଣାକୁ ନେଇ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଗଭୀର ଚିନ୍ତା ପ୍ରକାଶ କରିବା ସହ ଯୋଗୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ମାୟାବତୀ ଦର୍ଶାଇଛନ୍ତି ଯେ, ସହାରନପୁର ଘଟଣା ସମେତ ସାରା ରାଜ୍ୟରେ ମସଜିଦଗୁଡ଼ିକୁ ଶୀଘ୍ର ଅବୈଧ ଘୋଷଣା କରି ଉଚ୍ଛେଦ କରିବା ଅଭିଯାନ ସମ୍ପୂର୍ଣ୍ଣ ଅନୁଚିତ। ସରକାର ଏହି ପ୍ରକାର କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ବନ୍ଦ କରିବା ସହ ପରିସ୍ଥିତିକୁ ନକାରାତ୍ମକ ନକରି ଅନ୍ୟାନ୍ୟ ପ୍ରଶାସନିକ ବାଟ ଆପଣାଇବା ଆବଶ୍ୟକ। ଏକ ସାମ୍ବିଧାନିକ ଧର୍ମନିରପେକ୍ଷ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେଉଛି ସବୁ ଧର୍ମର ବିଶ୍ୱାସୀ ଓ ସେମାନଙ୍କ ଉପାସନା ପୀଠକୁ ସମାନ ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା। ଇସଲାମରେ ମସଜିଦ୍ ହେଉଛି ଦୈନନ୍ଦିନ ନମାଜ ପାଠର ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଭାରତୀୟ ପରମ୍ପରା ଅନୁସାରେ ଏସବୁକୁ ସମ୍ମାନ ଦେବା ବ୍ୟାପକ ଜନସ୍ୱାର୍ଥ ପାଇଁ ଏକାନ୍ତ ଜରୁରୀ।
Comments are closed, but trackbacks and pingbacks are open.