ପୁରୀରେ ବ୍ରିକ୍ସ ସମ୍ମିଳନୀ: ବାଲୁକା ଆନିମେସନ ମାଧ୍ୟମରେ ପ୍ରତିନିଧିଙ୍କୁ ସ୍ୱାଗତ, ବିପର୍ଯ୍ୟୟ ପ୍ରଶମନ ଉପରେ ଫୋକସ୍

29

ଭୁବନେଶ୍ବର: ପୁରୀରେ ବ୍ରିକ୍ସ (BRICS) ରାଷ୍ଟ୍ରସମୂହର ପ୍ରତିନିଧିମାନଙ୍କୁ ବାଲୁକା ଆନିମେସନ୍ ମାଧ୍ୟମରେ ସ୍ୱାଗତ କରାଯାଇଛି । ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ତାଙ୍କର ‘ପୁରୀ ସ୍ୟାଣ୍ଡ ଆର୍ଟ ଷ୍ଟୁଡିଓ’ରେ ଏକ ସ୍ୱତନ୍ତ୍ର ୧୫ ମିନିଟର ବାଲୁକା ଆନିମେସନ୍ ପ୍ରଦର୍ଶନ କରି ବ୍ରିକ୍ସ ପ୍ରତିନିଧିବୃନ୍ଦଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇଛନ୍ତି । ଆଜିଠାରୁ ପୁରୀରେ ଦ୍ୱିତୀୟ ବ୍ରିକ୍ସ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ବିପର୍ଯ୍ୟୟ ପରିଚାଳନା ଓ ପ୍ରତିରୋଧ କ୍ଷମତା ବୃଦ୍ଧି ଉପରେ ମୁଖ୍ୟ ଫୋକସ୍ କରାଯାଇଛି । ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆନ୍ତର୍ଜାତୀୟ ସମ୍ମିଳନୀ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ମାନସ କୁମାର ସାହୁ କହିଛନ୍ତି, “ପୁରୀରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହେବା ଆମ ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । ବ୍ରିକ୍ସର ଏକତା, ସାଂସ୍କୃତିକ ସମନ୍ୱୟ, ବନ୍ଧୁତ୍ୱ ଏବଂ ବୈଶ୍ୱିକ ସହଯୋଗର ବାର୍ତ୍ତାକୁ ଏହି ଆନିମେସନରେ କଳାତ୍ମକ ଭାବେ ଉପସ୍ଥାପନ କରାଯାଇଛି। ଏହା ସହିତ ପୁରୀ ଏବଂ ଭାରତର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । ବାଲୁକା ଆନିମେସନ୍ ମାଧ୍ୟମରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକତା, ଶାନ୍ତି ଓ ସହଯୋଗର ଏକ ନୂଆ ଆଶା ସଞ୍ଚାର ହେବ ବୋଲି ମୁଁ ଆଶାବାଦୀ ।”

Comments are closed, but trackbacks and pingbacks are open.