ସ୍ବାସ୍ଥ୍ୟବାନ ଓ ଛୋଟ ପିଲାଙ୍କୁ ବୁଷ୍ଟର ଡୋଜ୍ ଦେବା ଉଚ୍ଚିତ ନୁହେଁ – ‘ହୁ’

18

କରୋନାର ବୁଷ୍ଟର ଡୋଜ୍ ତୁରନ୍ତ ବନ୍ଦ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟଙ୍କ ପରାମର୍ଶ । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବିଶ୍ୱର ଅନେକ ଦେଶର ଲୋକ ପ୍ରଥମ ଡୋଜ୍ ଟିକା ଏପର୍ଯ୍ୟନ୍ତ ନେଇ ନାହାନ୍ତି । ହେଲେ କିଛି ଦେଶ ସେମାନଙ୍କ ଲୋକଙ୍କୁ ଦୁଇଟି ଡୋଜ୍ ଦେବା ପରେ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରିଛନ୍ତି । ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି ‘ହୁ’ ମୁଖ୍ୟ । ଏହା ଏକ ସ୍କାଣ୍ଡାଲ ବୋଲି ସେ କହିଛନ୍ତି ।ତୁରନ୍ତ ଏହାକୁ ବନ୍ଦ କରାଯିବା ଆବଶ୍ୟକ ବୋଲି ହୁ ମୁଖ୍ୟ କହିଛନ୍ତି ।
ୟୁରୋପରେ ପୁଣି ଥରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବାରୁ ଜୀବନ ପ୍ରତି ଅଧିକ ବିପଦ ଥିବା ଲୋକଙ୍କୁ ପ୍ରଥମେ ଟିକା ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସ୍ୱାସ୍ଥ୍ୟବାନ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା କିମ୍ବା ପିଲାଙ୍କୁ ଟିକା ଦେବାର କୌଣସି ମାନେ ନାହିଁ ବୋଲି ସେ କହିଛନ୍ତି । ୟୁରୋପରେ ଗତ ସପ୍ତାହେ ମଧ୍ୟରେ ୨୦ ଲକ୍ଷ ନୂଆ ଆକ୍ରାନ୍ତ ବାହାରିଛନ୍ତି । ମହାମାରୀ ଆରମ୍ଭ ହେବା ଦିନଠାରୁ କୌଣସି ସପ୍ତାହରେ ଏଠାରେ ଏତେ ସଂଖ୍ୟକ ସଂକ୍ରମଣ ଦେଖାଦେଇ ନଥିଲା ।
ସଂକ୍ରମଣକୁ ରୋକିବା ପାଇଁ କିଛି ଦେଶ କଟକଣା ଜାରି କରିବା ସହିତ ଟିକା ଏବଂ ବୁଷ୍ଟର ଡୋଜ୍ ପ୍ରଦାନ କରୁଛନ୍ତି । ତେବେ ଟିକା ସେହିମାନଙ୍କୁ ଦିଆଯିବା ଆବଶ୍ୟକ ଯେଉଁମାନଙ୍କ ପାଇଁ ଏହା ସବୁଠୁ ଅଧିକ ଆବଶ୍ୟକ ରହିଛି । କେତେ ସଂଖ୍ୟକ ଲୋକ ଟିକା ନେଲେ ତାହା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ ବରଂ କେଉଁମାନଙ୍କୁ ଟିକା ଦିଆଯାଉଛି ତାହା ହିଁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଟେଡ୍ରସ କହିଛନ୍ତି ।
ବିଶ୍ବରେ ଯେତେବେଳେ ସ୍ବାସ୍ଥ୍ୟ କର୍ମୀ, ବୟସ୍କ ଲୋକ, ଜୀବନ ପ୍ରତି ବିପଦ ଥିବା ବର୍ଗର ଲୋକ ସେମାନଙ୍କ ପ୍ରଥମ ଡୋଜ୍ ଟିକା ନେବାକୁ ଅପେକ୍ଷା କରିଛନ୍ତି । ସେତେବେଳେ ସ୍ବାସ୍ଥ୍ୟବାନ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବାର କିଛି ଅର୍ଥ ନାହିଁ । ଏଥିସହିତ ପିଲାଙ୍କୁ ଟିକା ଦେବାର କୌଣସି ମାନେ ନାହିଁ ।ଗରିବ ଦେଶଙ୍କୁ ଟିକା ମିଳି ନଥିବାରୁ ବର୍ଷ ଶେଷ ପର୍ଯ୍ୟନ୍ତ ବୁଷ୍ଟର ଡୋଜ୍‌କୁ ସ୍ଥଗିତ ରଖିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବାରମ୍ବାର କହି ଆସୁଥିଲେ ମଧ୍ୟ ଅଧିକରୁ ଅଧିକ ଦେଶ ସେମାନଙ୍କ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରି‌ଛନ୍ତି । ନିମ୍ନ ଆୟୁବର୍ଗର ଲୋକଙ୍କୁ ପ୍ରତିଦିନ ଯେତିକି ସଂଖ୍ୟକ ଟିକା ଦିଆଯାଉଛି ତାହା ତୁଳନାରେ ୬ ଗୁଣା ଅଧିକ ବୁଷ୍ଟର ବିଶ୍ବରେ ଦିଆଯାଉଛି ।

Leave A Reply

Your email address will not be published.