ଭୁବନେଶ୍ୱର: ପାରିବାରିକ ଗଣ୍ଡଗୋଳରୁ ଭୟଙ୍କର ରୂପ ନେଲା ବିବାଦ। ଭାଇ ଉପରକୁ ଭାଇ ବୋମା ଫିଙ୍ଗିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ମହୁଲ ଗାଁରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ସୂଚନା ଅନୁଯାୟୀ, ପରିବାରର କୌଣସି ଏକ ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ବିବାଦ ଉଗ୍ର ରୂପ ନେବାରୁ ଜଣେ ଭାଇ ଅନ୍ୟ ଭାଇଙ୍କ ଉପରକୁ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ବୋମା ବିସ୍ଫୋରଣରେ ଦୁଇ ଭାଇ ଆହତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଘଟଣାସ୍ଥଳରେ ରାଜ୍ୟ ପୁଲିସ ଡିଜିପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାସହ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାମାଡ଼ର ପ୍ରକୃତ କାରଣ, ବୋମାର ଉତ୍ସ ଏବଂ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ମହୁଲ ଗାଁରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବାରୁ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି।
Comments are closed, but trackbacks and pingbacks are open.