ନୂଆଦିଲ୍ଲୀ: କେରଳ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆଜି ନିର୍ବାଚନୀ ଇସ୍ତାହାର ବା ‘ସଂକଳ୍ପ ପତ୍ର’ ପ୍ରକାଶ ପାଇଛି। ଏଥିରେ ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି ବିକାଶ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଗରିବ ପରିବାରର ମହିଳାମାନଙ୍କୁ ‘ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଡ’ ପ୍ରଦାନ କରାଯିବ। ଏହି କାର୍ଡ ଜରିଆରେ ପ୍ରତି ମାସରେ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ମାଗଣା ରାସନ ମିଳିପାରିବ। ସେହିପରି ବିଧବା ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ମାସିକ ୩,୦୦୦ ଟଙ୍କା ଲେଖାଏଁ ପେନସନ ଦେବାକୁ ଦଳ ପ୍ରତିଶ୍ରୁତି ଦେଇଛି। ରାଜ୍ୟରେ ଏକ ନୂତନ AIIMS ପ୍ରତିଷ୍ଠା ସହ ସାରା କେରଳରେ ମୋବାଇଲ ହସ୍ପିଟାଲ ଓ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ। ଏଥିସହ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ସାର୍ବଜନୀନ ବୀମା ଯୋଜନା ପ୍ରଣୟନ କରାଯିବ। ଓନମ୍ ଏବଂ ଖ୍ରୀଷ୍ଟମାସ ଅବସରରେ ବର୍ଷକୁ ଦୁଇଟି LPG ସିଲିଣ୍ଡର ଉପରେ ସବସିଡି ମିଳିବ। ଏହାବାଦ୍ ପ୍ରତି ଘରକୁ ପାଣି ସଂଯୋଗ ସହ ମାସିକ ୨୦,୦୦୦ ଲିଟର ପର୍ଯ୍ୟନ୍ତ ପାଣି ମାଗଣାରେ ଯୋଗାଇ ଦିଆଯିବ। ‘ବିକଶିତ କେରଳ’ ପ୍ରକଳ୍ପ ଅଧୀନରେ ତିରୁବନନ୍ତପୁରମରୁ କନ୍ନୁର ପର୍ଯ୍ୟନ୍ତ ହାଇ-ସ୍ପିଡ୍ ରେଳ କରିଡର ନିର୍ମାଣ ହେବ। କୃଷି କ୍ଷେତ୍ରର ସୁରକ୍ଷା ପାଇଁ ଚାଷକୁ ସମ୍ପୂର୍ଣ୍ଣ ବୀମାଭୁକ୍ତ କରିବାକୁ ବିଜେପି ଘୋଷଣା କରିଛି।
Comments are closed, but trackbacks and pingbacks are open.