ବିଜେଡି ସାଂସଦ ସୁଲତା ଦେଓଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଏତଲା ଦେଲା ବିଜେପି

24

ଭୁବନେଶ୍ୱର: ବିଜେପିର ଏକ ଟିମ୍ କ୍ୟାପିଟାଲ ଥାନାରେ ସାଂସଦ ଶ୍ରୀମତୀ ସୁଲତା ଦେଓଙ୍କ ବିରୁଦ୍ଧରେ ଲିଖିତ ଏତଲା ଦେବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନଙ୍କ ଦ୍ୱାରା ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅବସରରେ ଉତ୍ତୋଳନ କରାଯାଇଥିବା ତ୍ରିରଙ୍ଗା ପତାକାର ଫଟୋକୁ ଏଆଇ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିକୃତ କରାଯାଇଛି। ଶ୍ରୀମତୀ ଦେଓ ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ କରିବା ସହିତ ଅତ୍ୟନ୍ତ ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଜାତୀୟ ପତାକା ସମଗ୍ର ରାଷ୍ଟ୍ରର ଗୌରବ ଓ ସ୍ୱାଭିମାନର ପ୍ରତୀକ ହୋଇଥିବାବେଳେ ତାହାକୁ ଏପରି ଭାବେ ବିକୃତ କରିବା ‘ନ୍ୟାସନାଲ ଫ୍ଲାଗ୍ କୋଡ୍‌’ର ଖୋଲାଖୋଲି ଉଲ୍ଲଂଘନ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହା ସହିତ ସାଂସଦ ଶ୍ରୀମତୀ ଦେଓ ବିଭିନ୍ନ ସମୟରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରି ବିଜେପି ନେତାମାନଙ୍କୁ ଅପମାନିତ କରୁଛନ୍ତି ଓ ସେମାନଙ୍କର ଚରିତ୍ର ସଂହାରର ଅପଚେଷ୍ଟା କରୁଛନ୍ତି। ତେଣୁ ଏହି ସମସ୍ତ ବିଷୟକୁ ତଦନ୍ତ କରି ଜାତୀୟ ପତାକାର ଅପମାନ କରୁଥିବା ତଥା ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଚରିତ୍ର ସଂହାର କରୁଥିବା ଏଭଳି ଲୋକମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପିର ପ୍ରତିନିଧି ଦଳ ଦାବି କରିଛି।

Comments are closed, but trackbacks and pingbacks are open.