ସିଏଜି ଅଡିଟ ରିପୋର୍ଟରୁ ଆସିଲା BJD ଶାସନରେ ଡିଏମଏଫ ପାଣ୍ଠିର ବ୍ୟାପକ ଅନିୟମିତତାର ସାଙ୍ଘାତିକ ତଥ୍ୟ

27

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ଭାରତର ମହାଲେଖାଗାର ନିୟନ୍ତ୍ରକ ଓ ମହାସମୀକ୍ଷକଙ୍କ ଅଡିଟ ରିପୋର୍ଟ ରାଜ୍ୟରେ ୨୦୨୪ ମାର୍ଚ୍ଚ ସୁଦ୍ଧା ଡିଏମଏଫ ପାଣ୍ଠି ଖର୍ଚ୍ଚର ବ୍ୟାପକ ଅନିୟମିତତା ଓ ହରିଲୁଟକୁ ସାମ୍ନାକୁ ଆସିଛି । ବିଜେଡି ଶାସନକାଳରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ମୂଳ ଖଣି ପ୍ରଭାବିତ ଗରିବ ଓ ଆଦିବାସୀ ଜନସାଧାରଣଙ୍କୁ ମୌଳିକ ସୁବିଧାରୁ ବଂଚିତ କରାଯାଇଛି ଓ କେଉଁଭଳି ଭାବେ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ଅଦରକାରୀ ଇକୋ-ରିଟ୍ରିଟ୍ ପାର୍କ, କମ୍ପାନୀ ଶ୍ରମିକଙ୍କ ପିପିଇ କିଟ୍ ଓ ଘରୋଇ ସଂସ୍ଥାଙ୍କ ଅହେତୁକ ଅନୁକମ୍ପା ଦେବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଛି ତା’ର ବିସ୍ତୃତ ଚିତ୍ର ପଦାକୁ ଆଣିଛନ୍ତି ସିଏଜି। ସିଏଜିଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି ଯେ , ଓଡ଼ିଶାରେ ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ ୩୦ଟି ଜିଲ୍ଲାର ଡିଏମଏଫ ପାଣ୍ଠିକୁ ପ୍ରାୟ ୨୬୬୦୨.୬୬ କୋଟି ଟଙ୍କା ଆସିଥିବାବେଳେ ସେଥିରୁ ପ୍ରାୟ ୨୫୯୬୯.୮୭ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଥିଲା, ମାତ୍ର ବାସ୍ତବରେ ମାତ୍ର ୧୫୮୧୭.୫୬ କୋଟି ଟଙ୍କା (ପ୍ରାୟ ୫୯.୪୬%) ଖର୍ଚ୍ଚ ହୋଇପାରିଛି। ଅଡିଟ ପାଇଁ ନମୁନା ଭାବେ ନିଆଯାଇଥିବା ଛଅଟି ଜିଲ୍ଲା-କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ ଓ ନବରଙ୍ଗପୁରରେ ମଞ୍ଜୁର ୧୭୪୩୫ଟି ପ୍ରକଳ୍ପ ମଧ୍ୟରୁ ପ୍ରାୟ ୩୮% (୬୫୫୧ଟି ପ୍ରକଳ୍ପ) ବର୍ଷବର୍ଷ ଧରି ଅଧପନ୍ତରିଆ ପଡ଼ିରହିଛି ଓ ୧୧୯୪ଟି ପ୍ରକଳ୍ପର କାମ ଆରମ୍ଭ ହିଁ ହୋଇନାହିଁ l
ଡିଏମଏଫ ପାଣ୍ଠିର ଦୁରୁପଯୋଗ ଓ ହରିଲୁଟର ବିସ୍ତୃତ ତଥ୍ୟ ଦେଇ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ନିମନ୍ତେ ସୁନ୍ଦରଗଡ଼ ଡିଏମଏଫ ପାଣ୍ଠିରୁ ବେଆଇନ ଭାବେ ୧୩୬.୭୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଯାହା ପିଏମକେକେକେୱାଇ ନିୟମାବଳୀର ସମ୍ପୂର୍ଣ୍ଣ ବିରୁଦ୍ଧ କାରଣ ଏହି ଷ୍ଟାଡିୟମ ଖଣି ଖନନ ଦ୍ୱାରା କ୍ଷତିଗ୍ରସ୍ତ ଗ୍ରାମୀଣ ଲୋକଙ୍କ କୌଣସି ପ୍ରତ୍ୟକ୍ଷ କଲ୍ୟାଣ କିମ୍ବା ଥଇଥାନ କାର୍ଯ୍ୟରେ ଆସୁନାହିଁ। ଦ୍ୱିତୀୟତଃ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପରିବେଶ ସୁରକ୍ଷା ଓ ଜୀବିକା ନାଁରେ ମଡେଲ ରୁରାଲ ପାର୍କ, ବନ ବାଟିକା, ଗ୍ରାମ ଉଦ୍ୟାନ ଓ ଇକୋ-ରିଟ୍ରିଟ ସେଣ୍ଟର ନିର୍ମାଣ ପାଇଁ ୧୦୧.୧୭ କୋଟି ଟଙ୍କା ମଞ୍ଜୁର କରାଯାଇ ୫୧.୭୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ହେଁ ୧୨୬ଟି ଯାକ ପ୍ରକଳ୍ପ ଅଧାପନ୍ତରିଆ ଓ ଅଚଳ ହୋଇ ପଡ଼ିରହିବା ସହ ସରକାରୀ ଟଙ୍କା ନଷ୍ଟ ହୋଇଛି। ସେହିପରି ଢେଙ୍କାନାଳ, ସୁନ୍ଦରଗଡ଼ ଓ ନବରଙ୍ଗପୁରରେ ମଧ୍ୟ ଭାଗବତ ମଣ୍ଡପ, କଟେଜ୍‌, ମନ୍ଦିର ଉନ୍ନୟନ ଓ ପିକନିକ୍ ସ୍ପଟ୍ ନାଁରେ ଆହୁରି ୧୬.୫୪ କୋଟି ଟଙ୍କାର ବେଆଇନ ଭାବେ ଖର୍ଚ୍ଚ କରାଯାଇଛି। କୋଭିଡ୍ ମହାମାରୀ ମୁକାବିଲା ନିମନ୍ତେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ୨୦୨୦ ମାର୍ଚ୍ଚ ୨୮ ତାରିଖରେ ଡିଏମଏଫ ପାଣ୍ଠିକୁ ଚିକିତ୍ସା ଉପକରଣ, ଟେଷ୍ଟିଂ, ମାସ୍କ, ସାନିଟାଇଜର ଓ ଗରିବଙ୍କୁ ଖାଦ୍ୟ ବଣ୍ଟନ ପାଇଁ ବିନିଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ପିପିପି ମୋଡରେ ଘରୋଇ ଡାକ୍ତରଖାନା ଭଡ଼ାରେ ନେଇ ବେଡ୍ ସଂରକ୍ଷଣ କରିବା ପାଇଁ କୌଣସି ନିର୍ଦ୍ଦେଶ ନଥିଲା। ମାତ୍ର ସେସବୁକୁ ଉଲ୍ଲଂଘନ କରି ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟିମାନେ ନିଜସ୍ୱ ନିଷ୍ପତ୍ତିରେ ଘରୋଇ ହସ୍ପିଟାଲଗୁଡ଼ିକ ସହିତ ଏମଓୟୁ ସ୍ୱାକ୍ଷର କରି ରୋଗୀ ଆସିବା ଅନୁମାନରେ ସ୍ଥାୟୀ ଭାବେ ବେଡ୍ ସଂରକ୍ଷିତ ରଖିଥିଲେ ଓ ମୋଟ ୧୪୫.୦୬ କୋଟି ଟଙ୍କା ପ୍ରଦାନ କରିଥିଲେ।ଏଭଳି ସାଂଘାତିକ ନିୟମ ଉଲ୍ଲଂଘନ ଓ ଆର୍ଥିକ ଅନିୟମିତତା ଉପରେ ଚିନ୍ତା ପ୍ରକଟ କରି ସମସ୍ତ ବେଆଇନ ଖର୍ଚ୍ଚର ଉଚ୍ଚସ୍ତରୀୟ ତଦନ୍ତ , ଦୋଷୀ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ , ଅଯୋଗ୍ୟ ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା ଅର୍ଥକୁ ସରକାରୀ ବଜେଟରୁ ଡିଏମଏଫ ପାଣ୍ଠିକୁ ଭରଣା ଓ ଗ୍ରାମସଭା ଜରିଆରେ ପ୍ରକୃତ ପ୍ରଭାବିତ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ସିଏଜି ସୁପାରିଶ କରିଛନ୍ତି।

Comments are closed, but trackbacks and pingbacks are open.