ଓଡିଶା ଆସୁଛି ବିଜୁ ଡ଼ାକୋଟା

38

ଶେଷରେ ବିଜୁ ବାବୁଙ୍କ ବିମାନ ଡାକୋଟା ଓଡ଼ିଶା ଆସିବ। କଲକାତା ବିମାନବନ୍ଦରରେ ଦୀର୍ଘ ବର୍ଷ ହେଲା ରହିଥିବା ଏହି ଐତିହାସିକ ବିମାନକୁ ଭୁବନେଶ୍ବର ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ସପ୍ତାହରେ ଡାକୋଟା ଭୁବନେଶ୍ବରରେ ପହଞ୍ଚିବା ସମ୍ଭାବନା ରହିଛି। ହକି ବିଶ୍ୱକପ୍ ସମୟରେ ଦେଶ ବିଦେଶରୁ ଆସିଥିବା ଖେଳାଳୀ, ଅଫିସିଆଲ ଏବଂ ଦର୍ଶକ ଏହି ଗୌରବମୟ ଅଧ୍ୟାୟକୁ ନିକଟରୁ ଦେଖିବାର ସୁଯୋଗ ପାଇବେ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରବେଶ ପଥରେ ସୁଦୃଶ୍ୟ ମଞ୍ଚ ଉପରେ ଡାକୋଟା ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଜୁ ବାବୁଙ୍କ ଡାକୋଟା ବିମାନ ରହିଥିଲା । ଏହାକୁ ଓଡ଼ିଶା ଫେରାଇ ଆଣିବା ପାଇଁ ବର୍ଷେ ହେଲା ରାଜ୍ୟ ସରକାର ଉଦ୍ୟମ ଚଳାଇଥିଲେ।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏବେ କୋଲକାତା ବିମାନବନ୍ଦରରେ ଡାକୋଟା ବିମାନର ଡେଣାକୁ ଅଲଗା କରିବା (ଡିଏସ୍‌ମେଣ୍ଟଲିଂ) କାମ ଚାଲିଛି। ଦିନେ ଦୁଇ ଦିନ ଭିତରେ ଏହା ସଡ଼କ ପଥରେ ଭୁବନେଶ୍ବର ଅଭିମୁଖେ ସ୍ଵତନ୍ତ୍ର ଟ୍ରେଲର୍ ଜରିଆରେ ଆସିବ। ଏହି ବିମାନର ଲମ୍ବ ୬୪ ଫୁଟ୍ ଥିବା ବେଳେ ଏହାର ଡେଣାର ଲମ୍ବ ୯୫ ଫୁଟ୍ ରହିଛି। ବିମାନକୁ ରଖିବା ଲାଗି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରବେଶ ପଥରେ ୧୧ ଏକର ଜମି ସାଧାରଣ ପ୍ରଶାସନ ବିଭାଗ ଚିହ୍ନଟ କରିଛି। ଟର୍ମିନାଲ-୧ ସମ୍ମୁଖରେ ଏହାକୁ ରଖାଯିବ । ଭୁବନେଶ୍ବରରେ ପହଞ୍ଚିବା ପରେ ବିଶେଷଜ୍ଞଙ୍କ ଜରିଆରେ ଏହାର ଡେଣାକୁ ଯୋଡ଼ାଯାଇ ପୂର୍ବ ରୂପ ଦିଆଯିବ ।

ଏଥିସହ ଏଥିରେ ରଙ୍ଗ କରାଯିବ। ଆନୁସଙ୍ଗିକ କାର୍ଯ୍ୟ ପରେ ବିମାନ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ ପଶ୍ଚିମ ବଙ୍ଗ କର୍ତ୍ତୃପକ୍ଷ ଆମକୁ ଅବଗତ କରିବେ । ବିମାନ ଯେପରି ବିନା ଦ୍ବିଧାରେ ସଡ଼କ ପଥରେ ଆସି ଭୁବନେଶ୍ବରରେ ପହଞ୍ଚିବ ସେଥ୍ପାଇଁ ପରିବହନ ବିଭାଗ ପଦକ୍ଷେପ ନେଉଛି। ଟ୍ରାଫିକ୍ ପରିଚାଳନା ପାଇଁ ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ମଧ୍ୟ ଏଥିରେ ସହଯୋଗ କରିବେ ବୋଲି ଅଧିକାରୀ ଜଣକ କହିଛନ୍ତି। ସୂଚନାଯୋଗ୍ୟ ଯେ ଝଡ଼ର ଇଗଲ୍ ରୂପେ ପରିଚିତ ବିଜୁ ବାବୁଙ୍କ ଜୀବନରେ ଡାକୋଟା ବିମାନ ଏକ ଅବିଛେଦ୍ୟ ଅଙ୍ଗ ହୋଇ ରହିଥିଲା ।

୧୯୪୭ ଜୁଲାଇ ଭୁବନେଶ୍ବର ବିମାନବନ୍ଦର ସମ୍ମୁଖରେ ଶୋଭା ପାଇବ ୨୧ ତାରିଖରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଏହି ଡାକୋଟା ବିମାନରେ ତତ୍କାଳୀନ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କୁ ଶତ୍ରୁ କବଳରୁ ଉଦ୍ଧାର କରି ଭାରତ ନେଇ ଆସିଥିଲେ। ଏହି ସାହସିକତା ପାଇଁ ବିଜୁ ବାବୁଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା | ପରେ ଜାତୀୟ ସମ୍ମାନ ‘ବିନଟାଙ୍ଗ ଯଶୋଉତ୍ତମା’ରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା।

Comments are closed, but trackbacks and pingbacks are open.