ବିଧାନସଭାରୁ ବଡ଼ ଖବର: ୫ ଦିନ ଆଗରୁ ଶେଷ ହେଲା ବଜେଟ ଅଧିବେଶନ

118

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ମଙ୍ଗଳବାର ବିଳମ୍ବିତ ରାତିରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଏହି ଅଧିବେଶନ ଆସନ୍ତା ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିବାବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ଆଲୋଚନା ମଧ୍ୟରେ ଏହା ଆଗୁଆ ସମାପ୍ତ ହୋଇଛି। ଚଳିତ ଅଧିବେଶନର ଏକ ବଡ଼ ନିଷ୍ପତ୍ତି କ୍ରମେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଓ ଉପବାଚସ୍ପତିଙ୍କ ବର୍ଦ୍ଧିତ ଦରମା, ଭତ୍ତା ଏବଂ ପେନସନ ସମ୍ପର୍କିତ ବିଲ୍‌କୁ ପ୍ରତ୍ୟାହାର କରିନିଆଯାଇଛି। ବଜେଟ ଅଧିବେଶନ ପାଇଁ ମୋଟ ୨୮ଟି କାର୍ଯ୍ୟ ଦିବସ ଧାର୍ଯ୍ୟ ହୋଇଥିବା ବେଳେ ୨୩ଟି କାର୍ଯ୍ୟ ଦିବସରେ ଏହା ଶେଷ ହୋଇଛି। ଏଥିମଧ୍ୟରେ ୨୨ଟି ବୈଠକ ଦିବସ ଓ ଗୋଟିଏ ସରକାରୀ କାର୍ଯ୍ୟ ଦିବସ ଅନ୍ତର୍ଭୁକ୍ତ। ମୋଟ ୩୧୪୨ଟି ତାରକା ଚିହ୍ନିତ ପ୍ରଶ୍ନ ମଧ୍ୟରୁ ୩୬ଟିର ଉତ୍ତର ରଖାଯାଇଥିବା ବେଳେ ୪୫୭୮ଟି ଅଣତାରକା ପ୍ରଶ୍ନ ମଧ୍ୟରୁ ୬୧୦୪ଟିର (ପୂର୍ବ ବକେୟା ସହ) ଉତ୍ତର ଉପସ୍ଥାପନ କରାଯାଇଛି। ବିଧାନସଭାର ୪୩ଟି କମିଟି ରିପୋର୍ଟ, ୧୧ଟି ବାର୍ଷିକ ରିପୋର୍ଟ, ଅର୍ଥ କମିଶନଙ୍କ ରିପୋର୍ଟ ଏବଂ ୫ଟି ସି.ଏ.ଜି. (CAG) ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି। ୨ଟି ସରକାରୀ ବିଧେୟକ ପାରିତ ହୋଇଥିବା ବେଳେ ୪ଟି ବିଧେୟକ ପ୍ରତ୍ୟାହାର କରାଯାଇଛି। ଏଥିସହ ୨୧ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇ ପାରିତ ହୋଇଛି। ୬ ଜଣ ପୂର୍ବତନ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇ ପାରିତ ହୋଇଛି।

Comments are closed, but trackbacks and pingbacks are open.