ଗଜପତିଙ୍କ ପରାମର୍ଶ ମାନିଲା ବେଙ୍ଗାଲୁରୁ ଇସ୍କନ୍: ଏଣିକି ପୁରୀ ଶ୍ରୀମନ୍ଦିର ତିଥି ଅନୁସାରେ ହେବ ରଥଯାତ୍ରା

36

ପୁରୀ: ଅସମୟ ବା ଅ-ତିଥି ରଥଯାତ୍ରାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୁରୀ ଗଜପତି ମହାରାଜାଙ୍କ ପରାମର୍ଶକୁ ଗ୍ରହଣ କରିଛି ବେଙ୍ଗାଲୁରୁର ଶ୍ରୀଳ ପ୍ରଭୁପାଦ ଇସ୍କନ୍। ଏଣିକି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ ହେଉଥିବା ତିଥି ଓ ପରମ୍ପରା ଅନୁସାରେ ହିଁ ରଥଯାତ୍ରା ଆୟୋଜନ କରାଯିବ ବୋଲି ଇସ୍କନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଶ୍ରୀଳ ପ୍ରଭୁପାଦ ଇସ୍କନ୍‌ର ଅଧ୍ୟକ୍ଷ ମଧୁ ପଣ୍ଡିତ ଦାସ ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବେଙ୍ଗାଲୁରୁ ସମେତ ଦେଶ ଓ ବିଦେଶରେ ଥିବା ଶ୍ରୀଳ ପ୍ରଭୁପାଦ ଇସ୍କନ୍‌ର ସମସ୍ତ ଶାଖା ପୁରୀ ଶ୍ରୀମନ୍ଦିରର ତିଥିକୁ ଅନୁସରଣ କରି ରଥଯାତ୍ରା ପାଳନ କରିବେ। ଏହା ସହିତ ପୁରୀର ପବିତ୍ର ନବଦିନାତ୍ମକ (ନଅ ଦିନିଆ) ରଥଯାତ୍ରା ଅବଧି ମଧ୍ୟରେ ହିଁ ରଥଯାତ୍ରା ଆୟୋଜନ କରାଯିବ ବୋଲି ଇସ୍କନ୍ ଘୋଷଣା କରିଛି। ଏହି ନିଷ୍ପତ୍ତିକୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନର ପ୍ରତୀକ ଭାବେ ଦେଖାଯାଉଛି।

Comments are closed, but trackbacks and pingbacks are open.