ଏବର୍ଷ ୩ ବିଶ୍ୱବିଦ୍ୟାଳୟରେ ବିଇଡି ନାମଲେଖା ବାତିଲ

25

ଏବର୍ଷ ତିନି ବିଶ୍ୱବିଦ୍ୟାଳୟରେ ହେବନି ବିଇଡି ପାଠପଢ଼଼ା। ରାଜେନ୍ଦ୍ର, ଖଲ୍ଲିକୋଟ ଓ କଳାହାଣ୍ଡି ଆଦି ତିନି ବିଶ୍ୱବିଦ୍ୟାଳୟକୁ ଏନସିଟିଇ ଛାଟ ଲାଗିଛି। ସଠିକ୍‍ ସମୟରେ ବିଶ୍ୱବିଦ୍ୟାଳୟଗୁଡ଼ିକ ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟ (ପିଏଆର) ଏନସିଟିଇ ନିକଟରେ ଦାଖଲ କରି ନ ଥିବାରୁ ବିଶ୍ୱବିଦ୍ୟାଳୟକୁ ଜିରୋ ଏକାଡେମିକ ସେସନ ଭଳି ଦଣ୍ଡ ପ୍ରଦାନ କରାଯାଇଛି।ଗୋଟିଏ ପଟେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ଉନ୍ନତିକରଣ ଲାଗି ଏକାଧିକ ଯୋଜନା ହାତକୁ ନେଇଥିବା ବେଳେ ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେସନ(ଏନସିଇଟିଇ) ପକ୍ଷରୁ ତିନୋଟି ବିଶ୍ୱବିଦ୍ୟାଳୟକୁ ଜିରୋ ଏକାଡେମିକ ସେସନ ଭଳି ଦଣ୍ଡ ପ୍ରଦାନ କରାଯାଇଛି। ଏନସିଇଟିଇ ପକ୍ଷରୁ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ସେଲ୍‌ ଫାଇନାନ୍ସିଂ ମୋଡରେ ଚାଲିଥିବା ବିଇଡି କୋର୍ସ ଉପରେ କଟକଣା ଲଗାଯାଇଛି। ଅର୍ଥାତ ଚଳିତବର୍ଷ ଏହି ତିନୋଟି ବିଶ୍ୱବିଦ୍ୟାଳୟ ବିଏଡ ପାଠପଢ଼ା ହେବ ନାହିଁ। ତେବେ ଏହି ବିଶ୍ୱବିଦ୍ୟାଳୟଗୁଡିକ ୨୦୨୦-୨୧ ଶିକ୍ଷାବର୍ଷରେ ପରଫର୍‍ମାନ୍ସ ଆପ୍ରାଇଜାଲ ରିପୋର୍ଟ(ପିଏଆର) ଦାଖଲ କରି ନ ଥିବାରୁ ଏହି ଭଳି ଦଣ୍ଡ ପ୍ରଦାନ କରାଯାଇଛି। ସୂଚନା ମୂତାବକ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ସେପ୍ଟେମ୍ୱର ୩୦ ତାରିଖ ଏବଂ ଚଳିତବର୍ଷ ଲାଗି ଜାନୁଆରୀ ୨୯ ତାରିଖ ଅନଲାଇନରେ ସୁଦ୍ଧା ‘ପିଏଆର’ ଦାଖଲ କରାଯିବା ଲାଗି ନିର୍ଦ୍ଦେଶ ରହିଥିଲା। ପରେ ପିଏଆର ଦାଖଲ ତାରିଖକୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କିନ୍ତୁ ଉପରୋକ୍ତ ତିନି ବିଶ୍ୱବିଦ୍ୟାଳୟ ପିଏଆର ଦାଖଲ କରିପାରି ନ ଥିଲେ। ତେବେ ଯେଉଁ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଏଭଳି ସମସ୍ୟା ହୋଇଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚ୍ଚଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Comments are closed, but trackbacks and pingbacks are open.