ବ୍ୟାଙ୍କ ଦେଲାନି ଟଙ୍କା ; ଭଉଣୀର ଶବକୁ ଖୋଳି ଆଣିଲା ଭାଇ

34

ଭୁବନେଶ୍ବର: ବ୍ୟବସ୍ଥାର ନିଷ୍ଠୁରତା ଆଗରେ ହାର ମାନିଛି ମାନବିକତା। ମାତ୍ର କିଛି ହଜାର ଟଙ୍କା ପାଇଁ ଜଣେ ଭାଇକୁ ନିଜ ଭଉଣୀର ଦୁଇ ମାସ ତଳର ପୋତା ଶବକୁ ମଶାଣିରୁ ଖୋଳି ବ୍ୟାଙ୍କ ସାମ୍ନାକୁ ଆଣିବାକୁ ପଡ଼ିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲିପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ସମ୍ମୁଖରେ ଆଜି ଏଭଳି ଏକ ହୃଦୟବିଦାରକ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଡ଼ିଆନାଳି ଗାଁର ଜିତୁ ମୁଣ୍ଡାଙ୍କ ଭଉଣୀ କାଲା ମୁଣ୍ଡାଙ୍କର ଦୁଇ ମାସ ପୂର୍ବେ ମୃତ୍ୟୁ ହୋଇଥିଲା। ବ୍ୟାଙ୍କରେ ତାଙ୍କ ନାମରେ ଥିବା ୧୯,୩୦୦ ଟଙ୍କାର ଜମା ରାଶି ଉଠାଇବା ପାଇଁ ଜିତୁ ଦୁଇ ଦିନ ପୂର୍ବେ ବ୍ୟାଙ୍କ ଯାଇଥିଲେ। ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ନିୟମର ଦୁହାଇ ଦେଇ ଟଙ୍କା ଦେବାକୁ ମନା କରିବା ସହ ମୃତକଙ୍କ ସ୍ୱାମୀ କିମ୍ବା ପୁଅ-ଝିଅଙ୍କୁ ଆଣିବାକୁ କହିଥିଲେ। ସହାୟତା ପାଇବା ପରିବର୍ତ୍ତେ ବାରମ୍ବାର ନିରାଶ ହେବା ପରେ, ବିବଶ ହୋଇ ଜିତୁ ଆଜି ମଶାଣିରୁ ଭଉଣୀର ଶବ ଖୋଳି ବ୍ୟାଙ୍କ ଆଗରେ ରଖିଥିଲେ। ଏହି ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ଜମିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଶ୍ନ ଉଠୁଛି, ନିୟମର କାଗଜପତ୍ର ଭିତରେ କ’ଣ ମଣିଷପଣିଆ ସଂପୂର୍ଣ୍ଣ ମରିଯାଇଛି?

Comments are closed, but trackbacks and pingbacks are open.