ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପୁଣି ବାଣୀବିହାର ଅଶାନ୍ତ

5

ଭୁବନେଶ୍ୱର:ସୋମବାର ରାତିରେ କିଛି ଅଣଛାତ୍ରଙ୍କ ଆକ୍ରମଣରେ ବାଣୀବିହାରର ୪ ଜଣ ଛାତ୍ର ଆହତ ହୋଇଛନ୍ତି । ଏହାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣୀବିହାର ପରିସରରେ ଉତ୍ତେଜନା ଲାଗି ରହିଥିଲା । ସୂଚନା ଅନୁଯାୟୀ, ସୋମବାର ରାତିରେ ବାଣୀବିହାର କ୍ୟାମ୍ପସରେ ଥିବା ନୂଆ ପାର୍କ ନିକଟରେ ୮ରୁ ଅଧିକ ଅଣଛାତ୍ର ବସି ମଦ ପିଇବା ସହିତ ସେଠାରେ ଆତଙ୍କ ଖେଳାଉଥିଲେ। ସେହି ପଟ ଦେଇ ଯାଉଥିବା କିଛି ଛାତ୍ରଙ୍କୁ ଅଣଛାତ୍ରମାନେ ଅଟକାଇ ତାଗିଦ୍ କରିଥିଲେ । ଏହାକୁ ନେଇ ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା । ନିଶାସକ୍ତ ଅବସ୍ଥାରେ ଥିବା ଅଣଛାତ୍ରମାନେ ଛାତ୍ରମାନଙ୍କୁ ମାରଧର କରିଥିଲେ । ଅଣଛାତ୍ରଙ୍କ କବଳରୁ ଖସି ଯାଇ ଛାତ୍ରମାନେ ହଷ୍ଟେଲରେ ସହପାଠୀଙ୍କୁ ଘଟଣା ବିଷୟରେ କହିଥିଲେ । କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ନେଇ ଘଟଣା ପ୍ରଘଟ ହେବା ପରେ ହଷ୍ଟେଲର ଶତାଧିକ ଛାତ୍ର ଏକଜୁଟ୍ ହୋଇ ଯାଇଥିଲେ ।ଛାତ୍ରାବାସର ଅନ୍ତେବାସୀମାନେ ମିଳିତ ଭାବେ ବିରୋଧ କରି ୩ ଅଣଛାତ୍ରଙ୍କୁ କାବୁ କରିବା ସହିତ ପୁଲିସ ଜିମା ଦେଇଥିଲେ। ମାତ୍ର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯିବାରୁ ତାକୁ ତୁରନ୍ତ ଗିରଫ କରିିବା ଦାବିରେ ଅନ୍ତେବାସୀମାନେ କ୍ୟାମ୍ପସ୍‌ ବାହାରକୁ ଆସି ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ।ସହିଦନଗର ଥାନା ପୁଲିସ ସେମାନଙ୍କୁ ବୁଝାସୁଝା କରିବା ସହ ଫେରାର ଅଭିଯୁକ୍ତକୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

Comments are closed, but trackbacks and pingbacks are open.