ଚୌଦ୍ୱାର ସର୍କଲ ଜେଲର ପୂର୍ବତନ ଅଧିକ୍ଷକ ସୁଜିତ ରାଉଳଙ୍କ ଜାମିନ ଆବେଦନ ଖାରଜ

22

କଟକ: କଟକ ଜିଲ୍ଲା ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ସୁଜିତ କୁମାର ରାଉଳଙ୍କ ଜାମିନ ଆବଦେନ ଖାରଜ ହୋଇଛି । ଜେଏମଏଫସି ଅଦାଲତରେ ଜାମିନ ଖାରଜ ହେବା ପରେ ସେ ନିୟମିତ ଜାମିନ ଲୋଡ଼ି ଦୌରା ଅଦାଲତରେ ଆବେଦନ କରିଥିଲେ। ଅଭିଯୁକ୍ତ ସୁଜିତ ରାଉଳ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ହୋଇଥିବା ବେଳେ ଅଭିଯୋଗକାରୀ ଜେଲର ତାଙ୍କ ଅଧୀନସ୍ଥ ଅଧିକାରୀ। ତଦନ୍ତ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଅଭିଯୁକ୍ତ ପ୍ରମାଣ ନଷ୍ଟ କରିବା କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଥିବା ଦର୍ଶାଇ ସୁଜିତ ରାଉଳଙ୍କୁ ଜାମିନ ଦେବାକୁ କୋର୍ଟ ମନା କରିଛନ୍ତି। ଅନ୍ୟପଟେ ଅଭିଯୁକ୍ତଙ୍କ ପକ୍ଷରୁ ସେ ନିର୍ଦ୍ଦୋଷ ଓ ମିଥ୍ୟା ମାମଲାରେ ଫସାଯାଇଥିବା କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ତାଙ୍କ ଅସୁସ୍ଥତା ଏବଂ ପରିବାରର ଏକମାତ୍ର ଉପାର୍ଜନକାରୀ ହୋଇଥିବା କଥା ମଧ୍ୟ କୋର୍ଟଙ୍କୁ ଦର୍ଶାଇଥିଲେ ଆବଦେନକାରୀଙ୍କ ଓକିଲ।
ସୂଚନା ଥାଉ ଯେ, ଗତବର୍ଷ ୨ ଅକ୍ଟୋବର ୨୦୨୫ରେ ଚୌଦ୍ୱାର ଜେଲ୍‌ରୁ ଦୁଇ ବିହାରୀ ବିଚାରାଧୀନ କଏଦୀ ଫେରାର ହୋଇଥିଲେ। ଏହା ପରେ ଦାୟିତ୍ୱ ଏଡ଼ାଇବା ଉଦ୍ଦେଶ୍ୟରେ ଜେଲ୍‌ର ଗେଟ୍ ଇନ୍-ଆଉଟ୍ ରେଜିଷ୍ଟର, ସୁପରିଣ୍ଟେଣ୍ଡେଣ୍ଟଙ୍କ ମିନିଟ୍ ବୁକ୍ ଓ ଅନ୍ୟାନ୍ୟ ରେକର୍ଡରେ ହେରଫେର କରାଯାଇଥିବା ଅଭିଯୋଗ ରହିଥିଲା। ଏପରିକି ତତ୍କାଳୀନ ଜେଲରଙ୍କ ଦସ୍ତଖତ ଜାଲ କରାଯାଇଥିବା ମଧ୍ୟ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ସମୟରେ ଅଭିଯୁକ୍ତଙ୍କ ସଂପୃକ୍ତି ମିଳିଥିବା ଦର୍ଶାଇ ପୁଲିସ ତାଙ୍କୁ ୨୧ ସେପ୍ଟେମ୍ବର ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ବରିଷ୍ଠ ଅଧିକାରୀ ସୁଜିତ ରାଉଳଙ୍କୁ ନିଲମ୍ୱିତ କରାଯାଇଛି । ଏହି ନିଲମ୍ୱନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ସରକାରଙ୍କ ନିୟମ ଦୃଷ୍ଟିରୁ ଏହି ଅଧିକାରୀ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଜେଲ୍‌ରେ ରହିଥିବାରୁ ତାଙ୍କୁ ନିଲମ୍ୱିତ କରାଯାଇଛି ।

Comments are closed, but trackbacks and pingbacks are open.