ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ହେଉଥିବା ଟେଷ୍ଟ ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ :ସ୍ୱାସ୍ଥ୍ୟମନ୍ତ୍ରୀ

9

ଭୁବନେଶ୍ୱର:ଏଣିକି ହସ୍ପିଟାଲରେ ଆଡମିଟ୍ ହେବା ପୂର୍ବରୁ କରାଯାଉଥିବା ସମସ୍ତ ମେଡିକାଲ୍ ପରୀକ୍ଷା ଆୟୁଷ୍ମାନ ପ୍ୟାକେଜ୍ ଭିତରେ ରହିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ପାଉଥିବା ରୋଗୀଙ୍କ ପାଇଁ ଏହା ଏକ ବଡ଼ ପଦକ୍ଷେପ । ସାଧାରଣତଃ ଦେଖାଯାଉଥିଲା ଯେ, ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ କରାଯାଇଥିବା ବିଭିନ୍ନ ପରୀକ୍ଷା ପାଇଁ ରୋଗୀଙ୍କ ପରିବାରକୁ ଅଲଗା ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଏହି ଖର୍ଚ୍ଚ ଏବେ ଆୟୁଷ୍ମାନ ପ୍ୟାକେଜ୍ ଅନ୍ତର୍ଭୁକ୍ତ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ପଷ୍ଟ କରିଛନ୍ତି ।ମନ୍ତ୍ରୀଙ୍କ ଏହି ଘୋଷଣା ପରେ ସମସ୍ତ ଘରୋଇ ହସ୍ପିଟାଲକୁ କଡ଼ା ତାଗିଦ୍ କରାଯାଇଛି । ଯଦି କୌଣସି ହସ୍ପିଟାଲ ଏହି ନିୟମକୁ ଅବମାନନା କରେ, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି । ଏହି କମିଟି ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରି ନିୟମ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ଯାଞ୍ଚ କରିବ ।ପୂର୍ବରୁ ଏହାକୁ ଅନ୍ତର୍ଭୁକ୍ତ କରୁନଥିଲେ କିଛି ହସ୍ପିଟାଲ । ଗଣମାଧ୍ୟମ ଓ ସୋସିଆଲ ମିଡିଆରୁ ଏଭଳି ଅଭିଯୋଗ ପାଇଥିବା ମନ୍ତ୍ରୀ କହିଥିଲେ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଏକ ବୈଠକ କରି ବିଭାଗୀୟ ଅଧିକାରୀ ଏବଂ ଘରୋଇ ହସ୍ପିଟାଲ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ।

Comments are closed, but trackbacks and pingbacks are open.