ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ହଟିଲା ଅନ୍ତରୀଣ ସୁରକ୍ଷା

20

କଟକ: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଛନ୍ତି ହାଇକୋର୍ଟ। ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ତାଙ୍କ ଅନ୍ତରୀଣ ସୁରକ୍ଷା ହଟାଇଛନ୍ତି । ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଓ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ନଫେରାଇବା ନେଇ କଟକ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ସେହି ମାମଲାରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ । କଟକ ମହିଳା ଥାନାରେ ଏନେଇ ଏତଲା ଦାୟର ହେବା ପରେ ଆଗୁଆ ଜାମିନ ଲୋଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୌରିନ। ସୌରିନଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ। ପରେ କିନ୍ତୁ ସୌରିନ ଆଉ ମହିଳା ଥାନାରେ ହାଜର ହୋଇ ନଥିଲେ। ପୋଲିସ ବାରମ୍ବାର ଖୋଜି ନପାଇବା ପରେ ସୌରିନଙ୍କ ପୈତୃକ ଘରେ ଲଟକା ଜାରି ହୋଇଥିଲା। ପରେ କ୍ରାଇମବ୍ରାଞ୍ଚ ସହାୟତାରେ ମହିଳା ଥାନା ପୋଲିସ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା । ସୂଚନା ଥାଉ ଯେ, କଟକ ଏସ୍‌ଡିଜେଏମ୍‌ କୋର୍ଟ ଗତ ୨୦୨୩ ମସିହା ନଭେମ୍ବର ୨୩ରେ ସୌରିନ୍ ଭଟ୍ଟଙ୍କ ବିରୋଧରେ NBW ଜାରି କରିଥିଲେ । ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିବା ସହ ସୌରିନ୍ ଭଟ୍ଟଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ୨୦ ତାରିଖ ପୂର୍ବରୁ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ ବୋଲି ତାଙ୍କ ଓକିଲ ହାଇକୋର୍ଟଙ୍କୁ ଅବଗତ କରିଥିଲେ । ତେବେ ସେ ହାଜର ନହେବାରୁ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି ।

Comments are closed, but trackbacks and pingbacks are open.