ଟ୍ରମ୍ପଙ୍କୁ ଆକ୍ରମଣ ଉଦ୍ୟମ ପଣ୍ଡ : ହ୍ବାଇଟ ହାଉସ ନିକଟରେ ଧରାପଡ଼ିଲେ ସଶସ୍ତ୍ର ଯୁବକ

83

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଆସିଥିବା ଜଣେ ବେଆଇନ ଅନୁପ୍ରବେଶକାରୀଙ୍କୁ ହ୍ୱାଇଟ୍ ହାଉସ୍ ବା ଶ୍ୱେତ ଭବନ ନିକଟରୁ ଗୁପ୍ତସେବା ସୁରକ୍ଷାକର୍ମୀମାନେ ଗିରଫ କରିଛନ୍ତି। ଗିରଫ ଯୁବକଙ୍କ ନିକଟରୁ ୩ଟି ମାରାତ୍ମକ ବନ୍ଧୁକ, ବିପୁଳ ପରିମାଣର ଗୁଳିଗୋଳା ସହ ଏକ ଚୋରା ଗାଡ଼ି ଜବତ ହୋଇଛି। ମାନସିକ ସମସ୍ୟା କାରଣରୁ ମୁଣ୍ଡ ଭିତରେ ଶବ୍ଦ ଶୁଣି ସେ ରାଷ୍ଟ୍ରପତିଙ୍କୁ ଆକ୍ରମଣ କରିବାକୁ ଆସିଥିବା ପୁଲିସ ଆଗରେ ସ୍ୱୀକାର କରିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ମିଳିଥିବା ସୂଚନା ଅନୁସାରେ, ଆମେରିକାର ଗୃହ ସୁରକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ ଗୁରୁବାର ରାତିରେ ଶ୍ୱେତ ଭବନ ନିକଟରେ ଠିଆ ହୋଇଥିବା ଏକ ସନ୍ଦେହଜନକ ଗାଡ଼ି ଭିତରେ ଯୁବକଜଣଙ୍କୁ ଦେଖି ଗୁପ୍ତସେବା ସୁରକ୍ଷାକର୍ମୀମାନେ ଅଟକାଇଥିଲେ। ଗିରଫ ଯୁବକଙ୍କ ନାମ ରୋନି ୟୋର୍ଡ୍ରିକ୍ସ ଗୁଆନିପା ଚ୍ରିନୋସ୍। ସେ ପୁଲିସ ଜେରା ସମୟରେ କହିଛନ୍ତି ଯେ ତାଙ୍କ ମୁଣ୍ଡ ଭିତରେ କିଛି ଅଦୃଶ୍ୟ ଶବ୍ଦ ଶୁଣାଯାଉଥିଲା, ଯାହା ତାଙ୍କୁ ୱାଶିଂଟନ୍ ଆସି ରିପବ୍ଲିକାନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ਪାଇଁ ନିର୍ଦ୍ଦେଶ ଦେଉଥିଲା। ଏହାପରେ ସୁରକ୍ଷାକର୍ମୀମାନେ ତାଙ୍କ ଗାଡ଼ି ଯାଞ୍ଚ କରିବାରୁ ସେଥିରୁ ୩ଟି ମାରାତ୍ମକ ଆଗ୍ନେୟାସ୍ତ୍ର ଏବଂ ବହୁ ସଂଖ୍ୟାରେ ଗୁଳି ଜବତ ହୋଇଥିଲା। ଏପରିକି ସେ ବ୍ୟବହାର କରୁଥିବା ଗାଡ଼ିଟି ଚୋରି ହୋଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ଗୃହ ସୁରକ୍ଷା ବିଭାଗର ସୂଚନା ଅନୁଯାୟୀ, ଗିରଫ ଚ୍ରିନୋସ୍ ଜଣେ ଭେନେଜୁଏଲା ନାଗରିକ, ଯିଏ ୨୦୨୪ ମାର୍ଚ୍ଚ ମାସରେ ଟେକ୍ସାସ ଦେଇ ବେଆଇନ ଭାବେ ଆମେରିକା ମଧ୍ୟକୁ ପ୍ରବେଶ କରିଥିଲେ। ବର୍ତ୍ତମାନ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଆମେରିକା ମାର୍ଶଲ ସର୍ଭିସ ଜିମ୍ମାରେ ରଖାଯାଇଛି। ସାହସୀ ସୁରକ୍ଷାକର୍ମୀଙ୍କ ତତ୍ପରତା ଯୋଗୁଁ ଏହି ବେଆଇନ ଅନୁପ୍ରବେଶକାରୀ କୌଣସି ବଡ଼ ଧରଣର କ୍ଷତି କରିବା ପୂର୍ବରୁ ଧରାପଡ଼ିଛନ୍ତି।

Comments are closed, but trackbacks and pingbacks are open.