ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର

19

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର I ବହୁ ଚର୍ଚିତ ବାବୁ-ପ୍ରକୃତି-ତୃପ୍ତି ବିବାଦ ଘଟଣା ର ଥାନାରେ ଦୁଇ ପକ୍ଷରୁ ମାମଲା ରୁଜୁ ହୋଇଥିଲା I କିନ୍ତୁ ଏତଲା ଉପରେ କମିଶନରେଟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ହାଇକୋର୍ଟ ଯାଇଛନ୍ତି ପ୍ରକୃତି ମିଶ୍ର I
ହାଇକୋର୍ଟ ଯିବା ପରେ ପ୍ରକୃତି କହିଛନ୍ତି, ସେ ଦେଇଥିବା ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ସେ ବାଧ୍ୟ ହୋଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମୋ’ ସାଙ୍ଗରେ ନ୍ୟାୟ କି ଅନ୍ୟାୟ ହୋଇଛି, ତାହା ସମସ୍ତେ ଦେଖିଛନ୍ତି। ମୋର କୋର୍ଟ ଉପରେ ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଛି। ମୋତେ ନ୍ୟାୟ ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି।

ଏତଲା ଆଧାରରେ ବାବୁସାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୁରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି ପ୍ରକୃତି ମିଶ୍ର । ଗତ ମାସ ଜୁଲାଇ ୨୩ ତାରିଖରେ ରାଜଧାନୀ ରାସ୍ତା ଉପରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଗୋଟିଏ କାରରେ ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ର ଯାଉଥିବାବେଳେ ବାଟରେ ଅଟକାଇଥିଲେ ତୃପ୍ତି । ଆଉ ତାପରେ ତୃପ୍ତି ବାବୁସାନଙ୍କୁ ଟଣା ଓଟରା କରିବା ସହ ପ୍ରକୃତିଙ୍କୁ ମାଡ ମାରିଥିବା ଦେଖିବାକୁ ମିଳିଥିଲା । ତାପରେ ପ୍ରକୃତିଙ୍କ ପକ୍ଷରୁ ତୃପ୍ତି ଓ ତାଙ୍କ ବାପାଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତିଙ୍କ ମାଆ ।

ଅନ୍ୟପଟେ ଏହି ଘଟଣାନେଇ ପ୍ରକୃତି ମିଶ୍ରଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ପୋଲିସର ଭୂମିକା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଜୁଲାଇ ୨୩ରେ ଆକ୍ରମଣ ପରେ ଥାନାରେ ଏତଲା କରାଯାଇଥିଲା I ଦୀର୍ଘଦିନ ବିତିଯାଇଥିଲେ ବି ପୋଲିସ କୌଣସି ନ୍ୟାୟ ଦେଇପାରିନି । ବିଭିନ୍ନ ପ୍ରକାର ଆରୋପ ଥିଲେ ବି ପୋଲିସ ଉପଯୁକ୍ତ ଦଫା ଲଗାଇ ନାହିଁ। ମାମଲାରେ ଗୃହ ସଚିବ, ପୋଲିସ କମିଶନର, ଭୁବନେଶ୍ୱର ଡିସିପି ଓ ଖାରବେଳନଗର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି । ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଇବାକୁ ହାଇକୋର୍ଟରେ ଅପିଲ କରାଯାଇଥିବା ପ୍ରକୃତିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ।

Comments are closed, but trackbacks and pingbacks are open.