ହୋଟେଲ ମାଲିକଙ୍କଠାରୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ଧରିଲା ଭିଜିଲାନ୍ସ

26

ସୁନ୍ଦରଗଡ଼: ବନ୍ଧା ହେଲେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଏଏସ୍‌ଆଇ ମଦନ ମୋହନ ପ୍ରଧାନ। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ହୋଟେଲ ମାଲିକ ଓ ତାଙ୍କ ସାନ ଭାଇଙ୍କ ନାଁରେ ଥାନାରେ ଏକ ଅବକାରୀ ମାମଲା ରୁଜୁ ହୋଇଛି। ସେହି ମାମଲାରେ ସେମାନଙ୍କୁ ଗିରଫ ନକରିବା ପାଇଁ ଓ ସେମାନଙ୍କୁ ସହଯୋଗ କରିବା ପାଇଁ ଏଏସ୍‌ଆଇ ମଦନ ମୋହନ ପ୍ରଧାନ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେଲେ ହୋଟେଲ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଦେବେ ବୋଲି ସେ ଧମକ ଦେଇଥିଲେ। ଫଳରେ ଅନ୍ୟ କୌଣସି ଉପାୟ ନପାଇ ହୋଟେଲ ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଏଏସଆଇ ଶ୍ରୀ ପ୍ରଧାନଙ୍କୁ ଧରିବା ପାଇଁ ଭିଜିଲାନ୍ସ ଏକ ଯୋଜନା ପ୍ରସ୍ତୁତ କରିଥିଲା । ଗତକାଲି ରାତିରେ ଏଏସଆଇ ଶ୍ରୀ ପ୍ରଧାନ ଓ ତାଙ୍କର ଜଣେ ସହଯୋଗୀ ମନଦୀପ କୁମାର ଦାସମୋଡକ (ପୁଲିସ କର୍ମଚାରୀ ନୁହନ୍ତି) ଅଭିଯୋଗକାରୀ ହୋଟେଲ ମାଲିକଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସର ଏକ ଟିମ୍ ସେମାନଙ୍କୁ ଧରିଥିଲା। ସେମାନଙ୍କଠାରୁ ସଂପୂର୍ଣ୍ଣ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା। ଏଏସ୍‌ଆଇ ଶ୍ରୀ ପ୍ରଧାନ ଲାଞ୍ଚ ନେଇ ଧରାପଡ଼ିବା ପରେ ଲହୁଣୀପଡ଼ା ସ୍ଥିତ ତାଙ୍କ ସରକାରୀ ଘର ଓ ମହୁଲପଡ଼ା ଥାନା ଅଧୀନ ମହୁଲଡିହା ସ୍ଥିତ ତାଙ୍କ ନିଜ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍।

Comments are closed, but trackbacks and pingbacks are open.