ଆପଣମାନେ ଖୁସି ତ ? ମୁଁ ବି ବହୁତ ଖୁସି

45

ଉଦଘାଟନ ହେଲା ପୁରୁଷ ହକି ବିଶ୍ୱ କପ୍ ୨୦୨୩ । ଜୟ ଜଗନ୍ନାଥ ଧ୍ବନୀରେ କମ୍ପିଲା ବାରବାଟୀ ଷ୍ଟାଡିୟମ୍‌ । ବିଶ୍ୱ ଦେଖିଲା ହକି ବିଶ୍ୱକପର ଭବ୍ୟ ଉଦ୍‌ଘାଟନୀ ଉତ୍ସବ । କଟକର ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଭବ୍ୟ ଉତ୍ସବ ମଧ୍ୟରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ହକି ବିଶ୍ୱ କପ୍ । ମହମୋହିଲା ବଲିଉଡ୍ ଷ୍ଟାରଙ୍କ ଜଲୱା । ଏଥିସହ ହକି ପୁରୁଷ ବିଶ୍ୱକପ ୨୦୨୩ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ ଟ୍ରଫିକୁ ଉଦଘାଟନ କରିଛନ୍ତି । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ବଲିଉଡ୍ ଷ୍ଟାର ରଣବୀର ସିଂହ । ଏହାସହ ବଲିଉଡ୍ ବ୍ୟୁଟି ଦିଶା ପଟାନୀଙ୍କ ଜଲୱା ମଧ୍ୟ ଦର୍ଶକଙ୍କ ମନ ଜିଣିଛି । ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ବ୍ୟାଣ୍ଡ ଦର୍ଶକଙ୍କର ଖୁବ୍ ମନୋରଞ୍ଜନ କରିଛି । ତା’ସାଙ୍ଗକୁ ପାରମ୍ପରିକ ଓଡ଼ିଆ ଗୀତରେ ତାଳେ ତାଳେ ଝୁମିଛନ୍ତି ଉପସ୍ଥିତ ଦର୍ଶକ ।

ବାରବାଟୀର ଚିତାକର୍ଷକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ହକି ମହାକୁମ୍ଭର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ ପଟ୍ଟନାୟକ । ଆପଣମାନେ ଖୁସି ତ ? କଟକରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ ହେଉଛି । ଆପଣ ମାନେ ଖୁସି ତ ? ମୁଁ ବି ବହୁତ ଖୁସି । ମୁଖ୍ୟମନ୍ତ୍ରୀ ଏଭଳି କହି ଷ୍ଟାଡିୟମରେ ଉତ୍ସାହ ଭରିବା ସହ କହିଥିଲେ ଯେ ଓଡ଼ିଶା ତାର ଆତିଥେୟତାକୁ ‌ନେଇ ପ୍ରସିଦ୍ଧ । ଏହି ହକି ବିଶ୍ବକପ ଆୟୋଜନ ଅବସରରେ ଓଡ଼ିଶାକୁ ଆସିଥିବା ଅତିଥିମାନେ ଏହି ପରିଚୟକୁ ଆହୁରି ଆଗକୁ ନେବାରେ ସହାୟକ ହେବେ ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବିଶ୍ୱକପ ହକି ଆୟୋଜନ ପାଇଁ ଓଡିଶାକୁ ପ୍ରଂଶସା କରିଛନ୍ତି । ସେ କହିଛନ୍ତି, ଏଥିପାଇଁ ବିଶ୍ୱସ୍ତରୀୟ ଆୟୋଜନ ହୋଇଛି । ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ କେବଳ ଓଡିଶା ପାଇଁ ନୁହେଁ ସମଗ୍ର ରାଜ୍ୟ ପାଇଁ ଗଢା ହୋଇଛି । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ବାରବାଟୀରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

ଉଦ୍‌ଘାଟନୀ ଉତ୍ସବରେ ବଲିଉଡ କଳାକାର ରଣବୀର ସିଂହ, ଅଭିନେତ୍ରୀ ଦିଶା ପଟାନି, ନକାଶ ଅଜିଜ, ଓଲିଉଡ କଳାକାର ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ୩୫ ହଜାରରୁ ଅଧିକ ଦର୍ଶକ ଉପଭୋଗ କରିଥିଲେ । ରଣବୀର ଆକଶମାର୍ଗରୁ ମଞ୍ଚକୁ ଓହ୍ଲାଇ ଶିହରଣ ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମରେ ପ୍ରୀତମ, ନୀତି ମୋହନ, ବେନି ଦୟାଲ, ଋତୁରାଜ ମହାନ୍ତି, ସ୍ନିତି ମିଶ୍ର, ଲିସା ମିଶ୍ର, ବ୍ଲାକସ୍ବାନ୍‌ ଗ୍ରୁପ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ସହଯୋଗୀଙ୍କ ଓଡ଼ିଶୀ ନୃତ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା ।

Comments are closed, but trackbacks and pingbacks are open.