ପାକିସ୍ତାନ ଅଧିକୃତ କାଶ୍ମୀରରେ ହିଂସା: ଜାତିସଂଘ ହସ୍ତକ୍ଷେପ ପାଇଁ ଦାବି

ପାକିସ୍ତାନ: ନିର୍ବାଚନ, ରାଜନୈତିକ ଅସନ୍ତୋଷ, ଆର୍ଥିକ ସମସ୍ୟା ଏବଂ ପାକିସ୍ତାନ ସରକାରଙ୍କ ବିରୋଧରେ ବଢ଼ୁଥିବା ପ୍ରଦର୍ଶନ ଏବେ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ବିଭିନ୍ନ ମିଡିଆ ରିପୋର୍ଟ ଓ ଆନ୍ଦୋଳନକାରୀ ସଂଗଠନର ଦାବି ଅନୁସାରେ, ସୁରକ୍ଷା ବାହିନୀର ଗୁଳିଚାଳନାରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ମାନବାଧିକାର ସଂଗଠନମାନେ ଜାତିସଂଘର ହସ୍ତକ୍ଷେପ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ମିଳିଥିବା ଖବର ଅନୁସାରେ, ପାକିସ୍ତାନ ଅଧିକୃତ କାଶ୍ମୀରର ରାୱଲକୋଟ, ମିରପୁର ଏବଂ ଅନ୍ୟ କିଛି ଅଞ୍ଚଳରେ ଗତ କିଛି ଦିନ ଧରି ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଦରଦାମ ବୃଦ୍ଧି, ବିଦ୍ୟୁତ ଶୁଳ୍କ, ବେକାରି, ରାଜନୈତିକ ଅଧିକାର ଏବଂ ନିର୍ବାଚନର ସ୍ୱଚ୍ଛତାକୁ ନେଇ ସରକାର ବିରୋଧରେ ଆନ୍ଦୋଳନ କରୁଛନ୍ତି। ଏହି ବିରୋଧ ପ୍ରଦର୍ଶନ ସମୟରେ ପାକିସ୍ତାନୀ ସୁରକ୍ଷା ବାହିନୀ ଗୁଳିଚାଳନା କରିଥିବା ନେଇ ଅଭିଯୋଗ ହୋଇଛି। ଆନ୍ଦୋଳନକାରୀ ସଂଗଠନ ଏବଂ କିଛି ମାନବାଧିକାର କର୍ମୀଙ୍କ ଦାବି ଅନୁଯାୟୀ, ମୃତକଙ୍କ ସଂଖ୍ୟା ୪୦ରୁ ଅଧିକ ପହଞ୍ଚିଛି । ଅନେକ ଲୋକ ଆହତ ହୋଇଥିବା ସହ ଶତାଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ମଧ୍ୟ ଆସିଛି। ତେବେ ଏହି ମୃତ୍ୟୁ ସଂଖ୍ୟାକୁ ପାକିସ୍ତାନ ସରକାର ସରକାରୀ ତଥ୍ୟରେ ପ୍ରକାଶ କରିନାହାନ୍ତି। ପରିସ୍ଥିତି ଗୁରୁତର ହେବା ପରେ ଆନ୍ତର୍ଜାତିକ ମାନବାଧିକାର ସଂଗଠନ ଓ କିଛି ସାମାଜିକ ସଂଗଠନ ଜାତିସଂଘ ମାନବାଧିକାର ପରିଷଦର ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଘଟଣାର ନିରପେକ୍ଷ ତଦନ୍ତ, ବଳପ୍ରୟୋଗ ବନ୍ଦ କରିବା ଏବଂ ସାଧାରଣ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ଦାବି କରିଛନ୍ତି।